ପରାଜୟ ଭୟରେ ସରକାରୀ ଅଧକାରୀଙ୍କୁ ଧମକାଉଛି ବିଜେପି!

ଭୁବନେଶ୍ବର: ପରାଜୟ ଭୟରେ ଗୋଟାଏ ପରେ ଗୋଟାଏ ପରେ ଗୋଟାଏ ଭୁଲ କରି ଚାଲିଛି ବିଜେପି । ଆଇନ ଉଲ୍ଲଂଘନ କରିବା ଯେପରି ବିଜେପିର ଅଭ୍ୟାସରେ ପରିଣତ ହେଲାଣି । ନିର୍ବାଚନ ନିୟମକୁ ନ ମାନି ପିଲାମାନଙ୍କୁ ବିଜେପି ରାଲିରେ ବ୍ୟବହାର କରୁଥିବାର ବିଭିନ୍ନ ନଜିର ରହିଛି । ଯାହାର ପ୍ରମାଣ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଉପସ୍ଥାପନ କରିଛି ବିଜେଡି । ଏପରିକି କେନ୍ଦ୍ର ସରକାରଙ୍କ ଅଫିସକୁ ବି ରାଜନୈତିକ ପ୍ଲାଟଫର୍ମ ଭାବେ ବିଜେପି ବ୍ୟବହାର କରିବାକୁ ପଛାଇ ନାହିଁ । ଯାହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସିଇଓ ।

ଅନ୍ୟପଟେ ବାରମ୍ବାର ସରକାରୀ ଅଧିକାରୀଙ୍କୁ ବି ବିଜେପି ଧମକାଉଥିବା ଅଭିଯୋଗ ହେଉଛି । କେତେବେଳେ ଫୋନ ଯୋଗେ ବିଡିଓ, ତହସିଲଦାର ଓ ପୋଲିସକୁ ଧମକ ତ ପୁଣି କେଉଁଠି ଖୋଲା ମଞ୍ଚରେ ଦିଆଯାଉଛି ଧମକ । ତାହା ପୁଣି ଜାତୀୟ ନିର୍ବାଚନ କମିସନଙ୍କ ନାଁ ନେଇ ଧମକ ଦିଆଯାଉଛି । ନିର୍ବାଚନରେ ବିଜେପି ପାଇଁ କାମ କରିବାକୁ ଚାପ ପକାଯାଉଛି । ନ ହେଲେ ବଦଳିର ଭୟ ଦେଉଛି ବିଜେପି । ଯାହା ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗି ଦେଉଛି । ଚାରି ମାସ ପରେ ନିର୍ବାଚନ ସରି ଯିବ । ହେଲେ ଏହା ପରେ କଣ ସରକାରୀ ଅଧିକାରୀଙ୍କ ମନୋବଳକୁ ଫେରାଇ ପାରିବ କି ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡି । ବିଜେପିର ଏପରି ହୀନ ରାଜନୀତି ବିରୋଧରେ ଆଜି ପୁଣି ଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜୁ ଜନତା ଦଳ । ଏହା ବିରୋଧରେ ଦୃଢ ପଦକ୍ଷେପ ନେବାକୁ ସିଇଓଙ୍କ ପାଖରେ ପ୍ରାର୍ଥନା କରିଛି ବିଜେଡି ।

ନିର୍ବାଚନ ସମୟରେ ସରକାରୀ ଅଧିକାରୀ ଖୁବ ବ୍ଯସ୍ତ ଥାନ୍ତି । ଆଦର୍ଶ ଆଚରଣ ବିଧିର ସୁରକ୍ଷା ସହ ରାଜ୍ୟର ପରିଚାଳନା ଓ ଆର୍ଥିକ ସ୍ଥିତି ଠିକ ରଖିବାର ଗୁରୁ ଦାୟିତ୍ବ ନିର୍ବାହ କରିଥାନ୍ତି ସରକାରୀ ଅଧିକାରୀ । ହେଲେ ବିଜେପି ସେମାନଙ୍କୁ ନିର୍ବାଚନୀ ଅସ୍ତ୍ର କରିବାର ଯେଉଁ ଷଡ଼ଯନ୍ତ୍ର ଚଳାଇଛି, ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।