କେନ୍ଦ୍ର ଉଜ୍ଜ୍ବଳା ଯୋଜନା ପାଲଟିଛି ଅନ୍ଧାରୀ ଯୋଜନା: ବିଜେଡି

1 min read

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡିର ଟାର୍ଗେଟ୍ । ଉଜ୍ଜ୍ବଳା, ରାଜପଥ, ଟେଲିକମ୍ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଜେପିର ବିଫଳତାକୁ ନେଇ ବର୍ଷିଲା ବିଜେଡି । ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବାକୁ ବିଜେପି ଚକ୍ରାନ୍ତ ଚଲାଇଥିବା ଅଭିଯୋଗ କରିଛି ଦଳ । ବିଶେଷ କରି ଉଜ୍ବଳା ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଛି ଦଳ ।

ଉଜ୍ଜ୍ବଳା ଯୋଜନା ଏକ ଅନ୍ଧାରୀ ଯୋଜନାରେ ପରିଣତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଦଳ ପକ୍ଷରୁ କୁହାଯାଇଛି, ‘ଏଲପିଜିର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯାହା ଗରିବ ଲୋକଙ୍କ ପାଇଁ ଉପହାସ ପାଲଟିଛି । ପୂର୍ବରୁ ୪ ଶହ ଟଙ୍କା ଏଲପିଜି ଗ୍ୟାସ ମିଳୁଥିଲା, ଏବେ ଦର ୧୧ ଶହ ଟଙ୍କା ପାର ହେଲାଣି । ଦର ବୃଦ୍ଧି ଯୋଗୁଁ ଗ୍ୟାସ ବ୍ୟବହାର କମିବାରେ ଲାଗିଛି । ଦ୍ବିତୀୟ ଥର ଗ୍ୟାସ ଭରିବାକୁ ଗରିବ ମହିଳା ସକ୍ଷମ ହେଉନାହାନ୍ତି । ସାଧାରଣ ଲୋକଙ୍କ ହାଣ୍ଡିଶାଳ ଓ ପେଟକୁ ଏହା ସିଧା ପ୍ରଭାବ ପକାଇଛି । ଉଜ୍ଜ୍ୱଳା ଯୋଜନାରେ ରିଫିଲିଂ ହ୍ରାସ ପାଉଛି । ଏହାର ପ୍ରତିବାଦରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରୁଛି ବିଜେଡି । ହେଲେ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ରର ବିଜେପି ସରକାର ବିଫଳ ହୋଇଛି ।’

ସେହିପରି, ରାଜପଥକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ‘ରାଜ୍ୟରେ ଜାତୀୟ ରାଜପଥ କଥା ନକହିବା ଭଲ । ୫୫ ନମ୍ବର କଟକ-ସମ୍ବଲପୁର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ୬ ବର୍ଷ ହେଲାଣି ସରୁନି ଏହି ଜାତୀୟ ରାଜପଥର ମରାମତି । ଫଳରେ ୬ ବର୍ଷରେ ଗଲାଣି ୬୦୦ ଜୀବନ । କେନ୍ଦ୍ର ଏହାର ମରାମତି ପ୍ରତି ଧ୍ୟାନ ଦେଉ ନଥିବା ବେଳେ ଚୁପ୍ ବସିଛନ୍ତି ରାଜ୍ୟ ବିଜେପି ନେତା । ଏହାସହ ଟେଲିକମ ଓ ବ୍ୟାଙ୍କିଙ୍ଗ୍‌ ସେବାର ଉନ୍ନତି ପାଇଁ ସଂସଦରେ ଦାବି ଉଠାଇଛି ବିଜେଡି । ୬ ଲକ୍ଷ ଏସଏଚଜି ଓ ୭୦ ଲକ୍ଷ ମାଆ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ପ୍ରଭାବିତ ହୋଇଛନ୍ତି । ସବୁଠି ବ୍ୟାଙ୍କ ସୁବିଧା ନଥିବାରୁ ଋଣ ନେବାରେ ହଇରାଣ ହେଉଛନ୍ତି ମହିଳା । ତେବେ ରାଜ୍ୟ ବିଜେପି ନେତା ଏସଏଚଜି ମହିଳାଙ୍କୁ ବିରୋଧ କରୁଛି ।’

ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବାକୁ ବିଜେଡି କାମ କରି ଚାଲିଛି । ହେଲେ ବିଜେପି ରାଜ୍ୟ ବିରୋଧରେ ଚକ୍ରାନ୍ତ କରି ଚାଲିଛି ବୋଲି ଅଭିଯୋଗ କରିଛି ବିଜେଡି ।