ଅବସରଙ୍କ ନିଯୁକ୍ତିକୁ ପୂର୍ବରୁ ବିରୋଧ କରୁଥିଲା ବିଜେପି, ସରକାରକୁ ଆସିବା ପରେ ଓଲଟା ମନୋଭାବ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ୫୩ ହଜାରରୁ ଅଧିକ ଇଞ୍ଜିନୟର ବେକାର । ସେପଟେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ଅସ୍ଥାୟୀ ଭାବରେ ପୌର ସଂସ୍ଥାରେ ନିଯୁକ୍ତି ପାଇଁ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସକ । ପୌରାଞ୍ଚଳରେ ଇଞ୍ଜିନିୟରଙ୍କ ଅଭାବ ପୂରଣ କରିବାକୁ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି । ଅବସରଙ୍କୁ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳରେ ଥିବା ବେଳେ ବିଜେପି ସମାଲୋଚନା କରୁଥିଲା । ହେଲେ ଏବେ ସରକାରକୁ ଆସିବା ପରେ ଏହି ମୋହରୁ ମୁକୁଳି ପାରିନାହିଁ । ଏନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେଡି ।

ରାଜ୍ୟରେ ବୁଲୁଛନ୍ତି ମାଳ ମାଳ ବେକାର ଇଞ୍ଜିନିୟର । ହେଲେ ଅବସରପ୍ରାପ୍ତଙ୍କୁ ଥଇଥାନ କରିବାକୁ ସରକାରଙ୍କ ନିଷ୍ପତ୍ତି । ସହରାଞ୍ଚଳରେ ଇଞ୍ଜିନିୟର ଅଭାବ, ଶହ ଶହ ପଦବୀ ଖାଲି । ହେଲେ ସରକାରଙ୍କୁ ଦରକାର ରିଟାୟାର୍ଡ଼ ଇଞ୍ଜିନିୟର । ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ପୁନଃନିଯୁକ୍ତି ପାଇଁ ରାଜ୍ୟର ସମସ୍ତ ନିଗମ, ପୌରସଂସ୍ଥା, ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି ଲେଖିଛନ୍ତି ପୌର ପ୍ରଶାସକ । ପୌରସଂସ୍ଥାରେ ବର୍ଦ୍ଧିତ କାର୍ଯ୍ୟଭାର ଓ ଇଞ୍ଜିନିୟରଙ୍କ ଅଭାବକୁ ଦୃଷ୍ଟିରେ ରଖି, ସରକାର ମାନବ ସମ୍ବଳ ଏବଂ ଭଲ ଟ୍ରାକ ରେକର୍ଡ ଥିବା ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଚିଠିରେ ଉଲ୍ଲେଖ ରହିଛି । ଅସ୍ଥାୟୀ ଭାବେ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଇଞ୍ଜିନିଅର । ଜୁଲାଇ ୧୫ ତାରିଖ ଭିତରେ ବିଭାଗକୁ ନିଜ ବାୟୋଡ଼ାଟା ପଠାଇବେ ଇଚ୍ଛୁକ ଅବସରପ୍ରାପ୍ତ ଇଞ୍ଜିନିୟର । ବିରୋଧୀ ଦଳରେ ଥିବା ବେଳେ ବିଜେପି ଅବସର ନେଇଥିବା କର୍ମଚାରୀମାନଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରୁଥିବା ବେଳେ ଶାସନକୁ ଆସିଲା ପରେ ବି ଚାଲିଛି ଥଇଥାନ ପର୍ବ । ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି ।

ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ, ୫୩ ହଜାରରୁ ଅଧିକ ଇଞ୍ଜିନିୟର ଚାକିରି ନପାଇ ବେକାର ବସିଛନ୍ତି । ୧୦ ବର୍ଷ ମଧ୍ୟରେ ୩୪ ହଜାର ୪୭୧ ପିଲା ଇଞ୍ଜିନିୟରିଂ ପାସ କରିଥିବା ବେଳେ ମାତ୍ର ୧୫ ହଜାର ୨୮୯ ଜଣ ନିଯୁକ୍ତି ପାଇଛନ୍ତି । ବେକାର ବସିଛନ୍ତି ୧୯ ହଜାର ୧୮୨ ଇଞ୍ଜିନିୟର । ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପାସ କରିଛନ୍ତି ୫୪ ହଜାର ୧୮୯ ଜଣ । ଚାକିରି ପାଇଛନ୍ତି ମାତ୍ର ୨୦ ହଜାର ୯୬ । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ବେକାର ବସିଛନ୍ତି ।

ଆଉଟସୋର୍ସିଂ ସଂସ୍ଥାକୁ ହଟାଇ ରାଜ୍ୟରେ ଦକ୍ଷ ଇଞ୍ଜିନିୟରଙ୍କୁ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ନିକଟରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ବିଭାଗରେ ୯ ଶହରୁ ଅଧିକ ଇଞ୍ଜିନିୟର ନିଯୁକ୍ତ ହୋଇଥିବା ବେଳେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ପ୍ରେମରେ ପଡ଼ିଛି ଗୃହ ଓ ନଗର ଉନ୍ନୟନ ବିଭାଗ ।