ସ୍ବଚ୍ଛ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଜେପିକୁ ଆହୁରି ୨୦ରୁ ୨୫ ବର୍ଷ ଅପେକ୍ଷା କରିବାକୁ ପଡିବ: ପାଣ୍ଡିଆନ

ଭୁବନେଶ୍ବର: ବିଜେପିର ଆତ୍ମବିଶ୍ବାସ ବଢାଇବା ଲାଗି ବାହାରୁ ବଡବଡ ନେତା ଓଡିଶାରେ ନିର୍ବାଚନ ପ୍ରଚାର କରୁଛନ୍ତି । ୩ ଜଣ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମାନେ ଓଡିଶାରେ ପ୍ରଚାର କରୁଛନ୍ତି । ସମସ୍ତେ ଆସି ସ୍ଥାନୀୟ ବିଜେପି ନେତାଙ୍କୁ ବୁଷ୍ଟର ଡୋଜ୍ ଦେଉଛନ୍ତି । କିନ୍ତୁ, ସେମାନଙ୍କ ଡୋଜ୍ ସ୍ଥାନୀୟ ନେତାଙ୍କ ଉପରେ ଓଲଟା କାମ କରୁଛି । ବିଜେପି ଏଠି ନବୀନଙ୍କଠାରୁ ଅଧିକ ସ୍ବଚ୍ଛ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି କହୁଛି । ଯଦି ଏହାକୁ ବିଶ୍ବାସ କରାଯିବ ତେବେ ବିଜେପିକୁ ଆହୁରି ୨୦ରୁ ୨୫ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

ସେ କହିଛନ୍ତି, ଜଣେ ବିଜେପି କେନ୍ଦ୍ରମନ୍ତ୍ରୀ ଆସି କହିଲେ ଓଡିଶାରେ ଜଣେ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯିବ ବୋଲି ଘୋଷଣା କଲେ । ଏହି ଘୋଷଣା ଯୋଗୁଁ ରାଜ୍ୟର ଯେଉଁ ୫ ଜଣ ବିଜେପି ନେତା ନିଜକୁ ମୁଖ୍ୟମନ୍ତ୍ରୀ ଦାବିଦାର ବୋଲି ଭାବୁଥିଲେ, ସେମାନଙ୍କ ମନୋବଳ ଭାଙ୍ଗି ଯାଇଛି । ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ହେଲେ ସେମାନଙ୍କ ମୁହଁରୁ ନିରାଶା ଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା ।’

ଆଗକୁ ସେ କହିଛନ୍ତି, ‘ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡିଶାରେ ପ୍ରଚାର କରୁଥିବା ବେଳେ କହିଛନ୍ତି ନବୀନ ପଟ୍ଟନାୟକଙ୍କଠୁ ଅଧିକ ସ୍ବଚ୍ଛ ଭାବମୂର୍ତ୍ତି ଥିବା ବିଜେପି ନେତାଙ୍କୁ ସେମାନେ ଓଡିଶାର ମୁଖ୍ୟମନ୍ତ୍ରୀ କରିବେ । ଏଥିରୁ ସ୍ପଷ୍ଟ ଯେ ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାଁନ୍ତି । କାରଣ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ବଚ୍ଛ ପ୍ରାର୍ଥୀ ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ହୋଇନାହାଁନ୍ତି । ଆଉ ବିଜେପିରେ ସ୍ବଚ୍ଛ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆହୁରି ୨୦ରୁ ୨୫ବର୍ଷ ଅପେକ୍ଷା କରିବାକୁ ପଡିବ । ବାହାରୁ ଆସୁଥିବା ନେତାମାନେ ରାଜ୍ୟର ବିଜେପି ନେତାମାନଙ୍କ ସ୍ବଚ୍ଛତା,  ଦକ୍ଷତା ଓ ନିର୍ମଳ ଭାବମୂର୍ତ୍ତି ନେଇ କିଛି ଜ୍ଞାନ ନଥିବା ବିଡମ୍ବନାର ବିଷୟ । ବାହାରୁ ଆସୁଥିବା ବିଜେପି ନେତାମାନେ ନିଜ ପୋଷ୍ଟରେ ନିଜେ ଗୋଲ ମାରୁଛନ୍ତି । ବିଜେପିର ସତ ସାହସ ଅଛି ତ ସେମାନେ କହୁଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ ଲୋକଙ୍କ ପାଇଁ ୨୪ ଘଣ୍ଟା ପ୍ରଚାର କରୁଛନ୍ତି । ଲୋକମାନେ ଏକଥା ଜାଣିଛନ୍ତି, ତେଣୁ ୩୦ରୁ ୩୦ଜିଲ୍ଲା ପରିଷଦ ଆସନରେ ବିଜେଡି ଜିତିଥିଲା ।