ବଡ଼ମ୍ବା ବିଜେପି ଦୁଇ ଫାଳ: ବିଜୟ ସମର୍ଥକଙ୍କ ବିଦ୍ରୋହ ସାଂସଦ ପ୍ରାର୍ଥୀଙ୍କୁ କାଳ

ବଡ଼ମ୍ବା: ବଡମ୍ବା ବିଜେପି ପ୍ରାର୍ଥୀଙ୍କୁ ନେଇ ବିଧାନସଭା କ୍ଷେତ୍ରରେ ବିଜେପି ସଂଗଠନ ଦୁଇ ଫାଳ । ସିଂହ ଭାଗ ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ସହ ଥିବା ବେଳେ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସମ୍ବିତ ତ୍ରିପାଠୀ ହାଇକମାଣ୍ଡଙ୍କୁ ଧରି ପ୍ୟାଚ ପକାଇବାକୁ କରୁଛନ୍ତି ଚେଷ୍ଟା । ଦଳ ମଧ୍ୟରେ କନ୍ଦଳ ଏତେ ତୀବ୍ର ହୋଇଛି ଯେ, କଟକ ସାଂସଦ ପ୍ରାର୍ଥୀଙ୍କୁ ବି ପ୍ରଚାରକୁ ଯିବା ସମୟରେ ହଟହଟା ହେବାକୁ ପଡିଥିଲା ।

ବଡମ୍ବା ପାଇଁ ବିଜେପି ଦଳ ବାଛିଥିବା ପ୍ରାର୍ଥୀଙ୍କୁ ବିରୋଧ କେବଳ ବଡମ୍ବା ଭିତରେ ସୀମିତ ନାହିଁ । ଅସନ୍ତୁଷ୍ଟ ନେତା ଓ କର୍ମୀ ରାଜ୍ୟ ବିଜେପି ମୁଖ୍ୟାଳୟରେ ବି ବିରୋଧ କରୁଛନ୍ତି । ରାଜ୍ୟ ସଭାପତିଙ୍କୁ ସ୍ମାରକପତ୍ର ଦେଇ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ବର୍ଷ ବର୍ଷ ଧରି ବଡମ୍ବାରେ ବିଜେପି ସଂଗଠନକୁ ମଜବୁତ କରିବାକୁ କାମ କରୁଥିବା ବିଜୟ ଦଳବେହେରାଙ୍କୁ ଅଣଦେଖା କରି ନବାଗତ ସମ୍ବିତ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ନେତା ଓ କର୍ମୀ । ସମ୍ବିତ ତ୍ରିପାଠୀଙ୍କ ଘର ଯଦିଓ ବଡମ୍ବାରେ ସେ ଆଜି ପର୍ଯ୍ୟନ୍ତ କେବେ ବି ଦଳ ପାଇଁ କାମ କରିନାହାଁନ୍ତି । ବରଂ ବିଜୟ ଦଳବେହେରା ପାରମ୍ପରିକ ରାଜନୈତିକ ପ୍ରତିଦ୍ବନ୍ଦ୍ବି ଦେବୀ ମିଶ୍ରଙ୍କୁ ବରାବର ଟକ୍କର ଦେଇ ଆସୁଥିଲେ । ହେଲେ ଦଳ ବିଜୟଙ୍କୁ ଅଣଦେଖା କରି ସମ୍ବିତଙ୍କୁ ପ୍ରାର୍ଥୀ କରିବାକୁ ଗ୍ରହଣ କରିପାରୁନାହାଁନ୍ତି କର୍ମୀ ।

ବଡମ୍ବା ବିଜେପି ସଂଗଠନରେ ଅସନ୍ତୋଷ ଏତେ ଉଗ୍ର ରୂପ ନେଇଛି ଯେ, ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ହଟହଟା ହେବାକୁ ପଡିଥିଲା । ନିକଟରେ ସେ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ସହ ପ୍ରଚାର କରିବାକୁ ଯିବା ସମୟରେ ଜୋରଦାର ବିରୋଧର ସମ୍ମୁଖୀ ହୋଇଥିଲେ । ହେଲେ ସାଂସଦ ପ୍ରାର୍ଥୀ ଆଶାୟୀ କି ଅସନ୍ତୁଷ୍ଟଙ୍କ ଆପତ୍ତି ଶୁଣି ନଥିଲେ । ଯାହାକୁ ନେଇ କର୍ମୀମାନେ କ୍ଷୁବ୍ଧ ହୋଇପଡିଛନ୍ତି ।

୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଜୟ ଦଳବେହେରା । ସେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ରଙ୍କ ଠାରୁ ୧୮ ହଜାର ଭୋଟରେ ହାରିଥିଲେ । ବିଜୟଙ୍କୁ ଗତ ନିର୍ବାଚନରେ ୭୨ ହଜାର ୫୪୫ ଖଣ୍ଡ ଭୋଟ ମିଳିଥିଲା । ଏଥର ଯଦି ଦଳ ପ୍ରାର୍ଥୀ ପରିବର୍ତ୍ତନ ନକରେ ତେବେ ବିଜୟ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଚିନ୍ତା କରୁଛନ୍ତି । ଏଭଳି ସ୍ଥଳେ ବିଜେପିର ଭୋଟ ବିଭାଜିତ ହେବା ସାଙ୍ଗକୁ ବଡ ଭୋଟ ବ୍ୟବଧାନରେ ଦେବୀ ମିଶ୍ରଙ୍କ ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରିବ ।