ନନ୍ଦିଘୋଷ ବ୍ୟୁରୋ : ସୀମା ଟପିଲା ବର୍ବରତା । ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ଗଛରେ ବାନ୍ଧି ପିଟିଲେ, ମନ୍ତୁରା ପାଣି ପିଆଇଲେ ଲୋକେ । ଏପରିକି ଯୁବକଙ୍କ ସ୍ତ୍ରୀ ଏବଂ ଯୁବକଙ୍କ ବଡ଼ ଭାଇଙ୍କୁ ମଧ୍ୟ ଛାଡିଲେନି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଓଲ୍ଡି ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା । ଓଲ୍ଡି ଗାଁର ଯୁବକ ଅମରେନ୍ଦ୍ର ବାରିକ ସେହି ଗାଁରେ ଦୀର୍ଘ ଦିନ ହେବ ପୂଜା ପାଠ କରି ଚଳୁଛନ୍ତି । ଅଭିଯୋଗ ଅନୁଯାୟୀ ସେହି ଗାଁର ଜଣେ ବ୍ୟକ୍ତିଙ୍କ ଝିଅକୁ ଗୁଣି ହୋଇଥିବା ସନ୍ଦେହ କରି ଅମରେନ୍ଦ୍ରଙ୍କୁ ଘରୁ ଟେକି ଆଣି ଏକ ଗଛରେ ବାନ୍ଧି ମାଡ଼ ମାରିଥିଲେ ଲୋକେ । ପ୍ରତିବାଦ କରିବାରୁ ତାଙ୍କ ଭାଇକୁ ବି ବାନ୍ଧି ପକାଇଥିଲେ । ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ପ୍ରାୟ ୩୦ ଜଣ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାକୁ ଦୁଇଦିନ ବିତିଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଅମରେନ୍ଦ୍ର ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ଵାରସ୍ଥ ହୋଇଛନ୍ତି ।

