ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ, ପ୍ରତିନିଧି ବାଛିବେ ନିର୍ବାଚିତ ସମିତି ସଭ୍ୟ

ଭୁବନେଶ୍ୱର: ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପରୋକ୍ଷ ନିର୍ବାଚନରେ ବ୍ଲକ୍ ଅଧ୍ୟକ୍ଷ ପାଇଁ ନିର୍ବାଚନ ସରିଥିବାବେଳେ ଆଜି ବଛାହେବେ ଉପାଧ୍ୟକ୍ଷ । ନିର୍ବାଚିତ ସମିତି ସଭ୍ୟମାନେ ଭୋଟ ଦେଇ ଉପାଧ୍ୟକ୍ଷ ନିର୍ବାଚିତ କରିବେ । ଏଥିପାଇଁ ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଏହାପରେ ୧୨ଟା ୩୦ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଅପରାହ୍ନ ଗୋଟାଏରୁ ୪ଟା ମଧ୍ୟରେ ଭୋଟିଂ ହେବ ।

ରାଜ୍ୟରେ ୯୦ ପ୍ରତିଶତ ବ୍ଲକରେ ଅଧ୍ୟକ୍ଷ ପଦ ହାତେଇଛି ବିଜୁ ଜନତା ଦଳ । ୩୧୪ରୁ ୨୭୭ ବ୍ଲକ ଦଖଲ କରିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ । ଏଣୁ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ୍ କରିବ ବୋଲି ସ୍ପଷ୍ଟ ହୋଇଛି । ସେପଟେ ଆସନ୍ତା ୨୫ ତାରିଖରେ ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ ହେବ । ସମସ୍ତ ଜିଲ୍ଲାରେ ଏଥର ବିଜେଡି ସଭାପତି ପଦ ଅକ୍ତିଆର କରିଥିବାବେଳେ ଉପସଭାପତି ପଦ ମଧ୍ୟ ବିଜେଡି ଦଖଲ କରିବ ବୋଲି ନିଶ୍ଚିତ ହୋଇଛି ।