ସାବଧାନ! ଅମାନିଆ ହୋଇ ଘରୁ ବାହାରିଲେ ବିଏମ୍‌ସି ନେବ ଏଭଳି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅମାନିଆଙ୍କୁ ସାବାଡ କରିବାକୁ ବିଏମସିର ନିଆରା ପଦକ୍ଷେପ । ସଟ୍‌ଡାଉନ୍‌ରେ ଘରୁ ବାହାରିଲେ ଅଟକାଇ କରାଯାଉଛି ବାଧ୍ୟତାମୂଳକ ଟେଷ୍ଟିଂ । ବିଏମ୍‌ସି ନର୍ଥ ଜୋନ୍ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ । କେବଳ ଟେଷ୍ଟିଂ ନୁହେଁ ବରଂ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା ।

ସଟ୍‌ଡାଉନ୍‌ରେ ଅମାନିଆ ହେବେ ସାବାଡ । ଟେଷ୍ଟିଂକୁ ବାଧ୍ୟତାମୂଳକ କଲା ବିଏମ୍‌ସି । ଜରିମାନା ଅର୍ଥ ବି ଦୁଇଗୁଣା ହୋଇଛି । ବିଏମ୍‌ସି ନର୍ଥ ଜୋନ୍‌ ପକ୍ଷରୁ ନିଆରା ପଦକ୍ଷେପ । ସଟ୍‌ଡାଉନ୍‌ ସତ୍ତ୍ୱେ ରାସ୍ତାରେ ଗଡୁଛି ମାଳ ମାଳ ଗାଡି । ବାରମ୍ବାର ସଚେତନ ପରେ ବି ଅମାନିଆ ହେଉଛନ୍ତି ରାଜଧାନୀବାସୀ । ସଂକ୍ରମଣକୁ ରୋକିବା ପାଇଁ ସବୁ ପଦକ୍ଷେପ ପରେ ଅମାନିଆଙ୍କୁ ସାବାଡ କରିବାକୁ ବିଏମ୍‌ସି ପକ୍ଷରୁ ନିଆଯାଇଛି ନୂଆ ତଥା ନିଆରା ପଦକ୍ଷେପ । ନର୍ଥ ଜୋନ୍‌ ଅଞ୍ଚଳରେ ରାସ୍ତାରେ ଗାଡି ଓ ମାସ୍କ ଯାଞ୍ଚକୁ କଡାକଡି କରାଯାଇଛି । ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ସହିତ ବାଧ୍ୟତାମୂଳକ କରାଯାଇଛି ଆଣ୍ଟିଜେନ୍‌ ଟେଷ୍ଟ । ଲୋକେ ଯେ କଟକଣା ସମ୍ପର୍କରେ ଅଜ୍ଞ ଏହା କହିବା ଭୁଲ । ଜାଣିଶୁଣି କଟକଣାକୁ କିଏ ଖିଲାପ କରୁଛନ୍ତି ତ ଆଉ କିଏ ବାଧ୍ୟବାଧକତାରେ କଟକଣାକୁ ଖିଲାପ କରୁଛି । ତେବେ ସଂକ୍ରମଣକୁ ରୋକିବା ପାଇଁ ବିଏମ୍‌ସିର ପଦକ୍ଷେପକୁ ସ୍ବାଗତ କରିବା ସହ ସହଯୋଗ ମଧ୍ୟ କରିଛନ୍ତି । ବିଏମ୍‌ସିର ନର୍ଥ ଜୋନ୍‌ ପକ୍ଷରୁ ହୋଇଥିବା ଚେକିଂ ଓ ଟେଷ୍ଟିଂ ଖବର ପ୍ରସାରିତ ହେବା ପରେ ବହୁ ଲୋକ ନିଜନିଜ ଗନ୍ତବ୍ୟ ପଥର ଦିଗ ବଦଳାଇଦେଇଥିବା ଦେଖିବାକୁ ମିଳିଥିଲା।

ଏଥିସହିତ ପଢ଼ନ୍ତୁ: ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପ୍ରକୃତି ପ୍ରେମ: ବଗିଚାରେ ଫଳାଇଛନ୍ତି ବିଶ୍ୱର ଦାମୀ ଆମ୍ୱ

Leave a Reply