ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ; ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ
1 min read
ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଦୁଇ ଦୁଇ ଥର ଜେରା ପରେ ନିହାରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଲାପଟପରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର । କ୍ରାଇମବ୍ରାଞ୍ଚର ଡିଜି ବିନୟତୋଷ ମିଶ୍ରଙ୍କଙ୍କ ସୂଚନା ଅନୁସାରେ, ନିଜ ପାଖରେ ଅଫିସିଆଲ ଲାପଟପ ରଖୁଥିଲେ ନିହାର । ଲାପଟପରୁ ପ୍ରଶ୍ନପତ୍ର ଡିଲିଟ କରିନଥିଲେ ନିହାର। ପୂର୍ବରୁ ଗିରଫ ହୋଇଥିବା ଜିତେନ ମହାରଣାଙ୍କୁ ଜାଣିଶୁଣି ଆକ୍ସେସ ଦେଇଥିଲେ ନିହାର । ଜିତେନଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ଥିଲା । ଜିତେନଙ୍କ ସହ ଫୋନରେ ଅନେକ ଥର ମଧ୍ୟ କଥା ହୋଇଥିଲେ ନିହାର । ପରୀକ୍ଷା ପରିଚାଳନାରେ ଜିତେନଙ୍କ କୌଣସି ଭୂମିକା ନାହିଁ । ୧୧ ବର୍ଷ ହେଲା ପ୍ରଶ୍ନପତ୍ର ପ୍ରସ୍ତୁତିରେ ଗୁରୁ ଦାୟିତ୍ଵ ତୁଲାଇଥିଲେ ନିହାର । ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିଲା ତଦନ୍ତକାରୀ ଟିମ୍ ।
ଜୁଲାଇ ୨୦ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଟିଇଟି ସ୍ଥଗିତ ହୋଇଥିଲା । ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ବିତୀୟ ପତ୍ରକୁ ଘୁଞ୍ଚାଇ ଦିଆଗଲା। ପ୍ରଶ୍ନପତ୍ର ଲିକ ହେବାରୁ ପରୀକ୍ଷାକୁ ସ୍ଥଗିତ ରଖାଗଲା। ପରୀକ୍ଷା ସ୍ଥଗିତ ରହିବାରୁ ନିରାଶ ହୋଇଥିଲେ ପ୍ରାୟ ୭୫ ହଜାର ଶିକ୍ଷକ। ତେବେ ପ୍ରଶ୍ନପତ୍ର ଲିକ ଘଟଣା ସହ ପରୀକ୍ଷା ସ୍ଥଗିତକୁ ନେଇ ବର୍ଷିଥିଲା ବିଜେଡି। ଜୁଲାଇ ୨୧ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ପ୍ରତିବାଦ କରିଥିଲା ବିଜେଡି। କଟକ ବୋର୍ଡ ଅଫିସ ଆଗରେ ଛାତ୍ର ଓ ଯୁବ ବିଜେଡି ତରଫରୁ ବିକ୍ଷୋଭ କରାଯାଇଥିଲା। ଜୁଲାଇ ୨୨ରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ଓ ଭାଇରାଲ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ବୋର୍ଡ କାର୍ଯ୍ୟାଳୟରେ ପଚରାଉଚରା କରିଥିଲା। ବୋର୍ଡର କନଫିଡେନ୍ସିଆଲ ସେକ୍ସନ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚରା କରି ପ୍ରଶ୍ନପତ୍ର ପ୍ରଘଟର ସତ୍ୟତା ଓ ଉତ୍ସ ଜାଣିବାକୁ ଉଦ୍ୟମ କରିଥିଲା କ୍ରାଇମବ୍ରାଞ୍ଚ । ଏହାସହ ଭାଇରାଲ ପ୍ରଶ୍ନପତ୍ର ସମ୍ପର୍କରେ ଅଧିକ ଜାଣିବା ପାଇଁ ସାଇବର ସେଲର ସହାୟତା ଲୋଡିଥିଲା କ୍ରାଇମବ୍ରାଞ୍ଚ । ଜୁଲାଇ ୨୬ରେ ବୋର୍ଡର ୬ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯାଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। କିଛି ସେକ୍ସନ ଅଫିସର ଓ ସହକାରୀ ସମ୍ପାଦକଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଥିଲା। ଜୁଲାଇ ୨୯ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦର ୨ କର୍ମଚାରୀଙ୍କୁ ଅଟକ ରଖିଥିଲା କ୍ରାଇମବ୍ରାଞ୍ଚ। ପ୍ରଶ୍ନପତ୍ର ଦାୟିତ୍ବରେ ଥିଲେ ଦୁଇ କର୍ମଚାରୀ। ଲିକ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିଲା। ଜୁଲାଇ ୩୦ରେ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ। ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର ଜଣେ ଶିକ୍ଷକଙ୍କୁ ଉଠାଇ ନେଇଥିଲା। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଡଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଜୁଲାଇ ୩୦ରେ ବୋର୍ଡର ଆଉ ଜଣେ ଅଧିକାରୀଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଜୁଲାଇ ୩୦ରେ ମାଷ୍ଟରମାଇଣ୍ଡ ତଥା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜୀତେନ ମହାରଣାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ଜୀତେନ ପ୍ରଥମେ ବୋର୍ଡର ଉପସଭାପତିଙ୍କ ଲ୍ୟାପଟପରୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପେନ ଡ୍ରାଇଭରେ ନେଇ ଯାଇଥିଲା। ପରେ ଏହି ପ୍ରଶ୍ନପତ୍ରକୁ ଶିକ୍ଷକ ବିଜୟ ମିଶ୍ର, ସନାତନ ବିଶୋୟୀଙ୍କୁ ଦେଇଥିଲା ଜୀତେନ। ପ୍ରଶ୍ନପତ୍ରକୁ ଦଲାଲ ରାମଜୀ ପ୍ରସାଦ ଗୁପ୍ତାଙ୍କ ମାଧ୍ୟମରେ ଅଜୟ ସାହୁ, ଜୟନ୍ତ ରାଉତଙ୍କୁ ବିକ୍ରି କରାଯାଇଥିଲା। ଜୁଲାଇ ୩୧ରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଦେଇଥିଲେ ପ୍ରତିକ୍ରିୟା। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯେଉଁମାନଙ୍କର ରହିଛି ସଂପୃକ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ। ଅଗଷ୍ଟ ୧ ତାରିଖରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଶିକ୍ଷକ ଜଣକ ହେଲେ କଳାହାଣ୍ଡି ଜିଲ୍ଳା ଭବାନୀପାଟଣାର ପ୍ରଶାନ୍ତ ଖମାରୀ। OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଭବାନୀପାଟଣା ସଦର ଥାନା ପୋଲିସ ଗିରଫ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବ ବୋଲି ଅଗଷ୍ଟ ୧ ତାରିଖରେ ଘୋଷଣା କରାଗଲା। ଜୁଲାଇ ୩ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ।