ଭାଇକୁ ମାରିବାକୁ ଭାଇ ଦେଇଥିଲା ସୁପାରୀ, ବାଲେଶ୍ବରରେ ଚାଞ୍ଚଲ୍ୟକର ଘଟଣା

1 min read

ନୀଳଗିରି: ଭାଇକୁ ମାରିବାକୁ ଭାଇ ଦେଇଥିଲା ସୁପାରୀ। ବାଲେଶ୍ବର ନୀଳଗିରି କାଂଶ ଗାଁରେ ଘଟିଥିବା ଦୁଇ ସାଙ୍ଗଙ୍କ ନିଖୋଜ ଘଟଣା ନେଇ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ମାମଲାରେ ଜଣେ ମହିଳାଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ଵର ପୋଲିସ। ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ୨ କଟୁରୀ ସହ ୬ ମୋବାଇଲ ଫୋନ ଜବତ କରିଛି ପୋଲିସ।

ଅଭିଯୁକ୍ତଙ୍କ ଠାରୁ ୭୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ମୃତକ ଦୁଇ ସାଙ୍ଗ ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ଆଜି ଜବତ ହୋଇଥିଲା। ଉଭୟ ଗତ ୫ ତାରିଖରୁ ନିଖୋଜ ଥିଲେ। ଆଜି ମିତ୍ରପୁର ବ୍ଲୁ-ଲେକରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ ଓ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଚଳାଇଛନ୍ତି।ଦୁଇ ସାଙ୍ଗଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାରେ ଭାଇ ଓ ଭାଉଜଙ୍କ ସମେତ ୫ ସୁପାରୀ କିଲରଙ୍କ ସମ୍ପୃକ୍ତି ସନ୍ଦେହ କରିଛି ପୋଲିସ।