ସ୍କୁଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର: ସ୍କୁଲ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡ଼ବାଲିକୁଦା ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ପଙ୍କୋଜ ରାଉତଙ୍କ ଦଶମ ଶ୍ରେଣୀର ଝିଅ । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଝିଅକୁ ହତ୍ୟା କରିଯାଇଥିବା ଅଭିଯୋଗ କରିଛନ୍ତି ବାପା । ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ । ପୂର୍ବରୁ ସେ ସେହି ଗାଁର ଜଣଙ୍କୁ ଭଲ ପାଉଥିଲେ । ଯେଉଁଥି ପାଇଁ ପରିବାର ଲୋକ ଝିଅକୁ ଆକଟ କରିଥିଲେ । ଗତକାଲି ସନ୍ଧ୍ୟାରୁ ସଂପୃକ୍ତ ଯୁବକ ମଧ୍ୟ ଘରେ ନଥିଲେ । ଆଜି ଭୋର ସମୟରେ ଝିଅର ମୃତଦେହ ସ୍କୁଲ ପରିସରରୁ ଉଦ୍ଧାର ହୋଇଥିବା ବାଲିଚନ୍ଦ୍ରପୁର ଥାନା ପୋଲିସ ସୂଚନା ଦେଇଥିଲା ।

ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ସଂପୃକ୍ତ ପ୍ରେମିକ ସୂଚନା ଦେଇଥିବା ଏତଲାରେ ଉଲ୍ଲେଖ ରହିଛି । ଅନ୍ୟପଟେ ଝିଅର ଝୁଲନ୍ତା ମୃତଦେହ ସମ୍ପୂର୍ଣ୍ଣ ତଳେ ଲାଗିଥିବାରୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କସ୍ତୁରଵା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ରୀ ଜଣକ ହେଲେ ଛତ୍ରପୁର ତରେଇପାଟପୁର ଗାଁର କୈଳାଶ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା । ଛାତ୍ରୀ ଜଣକ ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକା ବାଳିକା  ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ । ଗତକାଲି ରାତିରେ ଖାଇ ଶୋଇବା ପରେ ଭୋର ୪ଟା ୩୦ରୁ ଅସୁସ୍ଥତା ଅନୁଭବ କରି ବାନ୍ତି କରିଥିଲେ । ବିଦ୍ୟାଳୟରେ ଦାୟିତ୍ୱରେ ଥିବା ୱାର୍ଡନ ତାଙ୍କୁ ମେଡ଼ିସିନ ଦେଇଥିଲେ କିନ୍ତୁ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ଛତ୍ରପୁର ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛନ୍ତି । ଅନ୍ୟପକ୍ଷରେ ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି । ସୂଚନାଯୋଗ୍ୟ, ଦୁଇଦିନ ତଳେ ଅନ୍ୟଜଣେ ଛାତ୍ରୀ ଅସୁସ୍ଥ ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ ।