ବିହାର: ବାଣ କାରଖାନାରେ ବିସ୍ଫୋରଣ, ୫ମୃତ, ଅନେକ ଆହତ

ଛପରା: ବିହାର ଛପରା ଜିଲ୍ଲାର ଖୋଦାଇବାଗ ଗାଁରେ ରବିବାର ସକାଳେ ବଡଧରଣର ବିସ୍ଫୋରଣ ହୋଇଛି । ପ୍ରାୟ ୧୧ ଟା ୪୫ ସମୟରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏଥିରେ କିଛି ଲୋକ ଫସିରହିଥିବା ମଧ୍ୟ ସୂଚନା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଭଗ୍ନାଂସ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ।

ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଯେଉଁ ତିନି ତାଲା କୋଠାରେ ଏହି ବେଆଇନ ବାଣ କାରଖାନା ଚାଲିଥିଲା ତାହା ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ମହମ୍ମଦ ରେୟାଜୁ ମିୟାଁ ନାମକ ବ୍ୟକ୍ତି ଘରେ ଏହି ବିସ୍ଫୋରଣ ହୋଇଛି । ସେପଟେ ସାରଣ ଏସପି କହିଛନ୍ତି, ବିସ୍ଫୋରଣର ଯାଞ୍ଚ ପାଇଁ ଫରେନ୍ସିକ ଟିମ ଆସୁଛି । ଏଥିସହିତ ବମ ସ୍କ୍ୱାଡଙ୍କ ମଧ୍ୟ ସହାୟତା ନିଆଯିବ । ଘରର ଭଗ୍ନାଂସ ହଟିବା ପରେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।