ଟିମ ଇଣ୍ଡିଆ ପାଇଁ ବଢ଼ିପାରେ ଚିନ୍ତା, ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଆପଣାଇପାରେ ଏହି ରଣନୀତି

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରିବା ପରେ ଦ୍ବିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ । ତେବେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ୪ ଜଣ ସ୍ପିନରଙ୍କୁ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ଇଂଲଣ୍ଡର ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡମ ମ୍ୟାକୁଲମ ଏଭଳି ସୂଚନା ଦେଇଛନ୍ତି । ବିଶାଖାପାଟଣାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଜୋ ରୁଟଙ୍କୁ ଛାଡ଼ି ବାକି ଚାରିଜଣ ସ୍ପିନର ଖେଳିବେ । ପ୍ରଥମ ଟେଷ୍ଟରେ ଜେକ୍ ଲିଚ୍, ଟମ ହାର୍ଟ ଲି ଏବଂ ରେହାନ ଅହମ୍ମଦ ଖେଳିଥିଲେ । ତେବେ ଦ୍ବିତୀୟ ଟେଷ୍ଟରେ ସୋଏବ ବଶିର ମଇଦାନକୁ ଓହ୍ଲାଇ ପାରନ୍ତି । ପ୍ରଥମ ଟେଷ୍ଟ ଖେଳିବା ପାଇଁ ଭିସା କାରଣରୁ ସେ ଆସି ପାରିନଥିଲେ । ମାତ୍ର ଦ୍ବିତୀୟ ଟେଷ୍ଟରେ ସେ ମଇଦାନୁ ଓହ୍ଲାଉଥିବାବେଳେ ଭାରତ ପାଇଁ ଅସୁବିଧାର କାରଣ ହୋଇପାରେ । ପ୍ରଥମ ମ୍ୟାଚରେ ଦୁଇ ପାଳିର ୨୦ ଓ୍ବିକେଟରୁ ଭାରତ ୧୮ ଓ୍ବିକେଟ କେବଳ ସ୍ପିନରଙ୍କ ହାତକୁ ଯାଇଥିଲା । ସେପଟେ ବାକି ୨ଟି ରନ ଆଉଟ ହୋଇଥିଲେ । ଏଣୁ ପେସରଙ୍କ ଅପେକ୍ଷା ସ୍ପିନରଙ୍କୁ ସୁଯୋଗ ଦେବ ଇଂଲଣ୍ଡ । ଭାରତ ପକ୍ଷରୁ କେବଳ ରୋହିତ ଶର୍ମା ସ୍ପିନରଙ୍କ ବିପକ୍ଷରେ ଭଲ ଖେଳନ୍ତି । ଶ୍ରେୟସ ଏବଂ ଗିଲ ଏବେ ଭଲ ଫର୍ମରେ ନାହାନ୍ତି । ଏଣୁ ସ୍ପିନରମାନେ ଦ୍ବିତୀୟ ଟେଷ୍ଟରେ ଭାରତ ପାଇଁ କାଳ ସାଜି ପାରନ୍ତି ।