ଢେଙ୍କାନାଳରେ ମେଲିଛି ଧଳା ଜହରର ଜାଲ, ରଙ୍ଗିନ୍ କାଗଜରେ ଗୁଡ଼େଇ ବିକ୍ରି ହେଉଛି ବ୍ରାଉନସୁଗାର

ଢ଼େଙ୍କାନାଳ: ପ୍ରଥମେ ବେଆଇନ ମଦ କାରବାର, ପରେ ବାଲି ଚୋରା ଚାଲାଣ  । ମାଫିଆ ଓ ଦଲାଲଙ୍କ କବଳରେ କବଳିତ ଢେଙ୍କାନାଳ ଜିଲ୍ଲାର ଘୋଟାଲା ସଂପର୍କିତ ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ ହୋଇଥିଲା  । କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା  । ଏବେ ଧଳା ଜହରର ଚେର ଖୋଜିବାକୁ ପ୍ରୟାସ କରିଛନ୍ତି ଆମ ଢେଙ୍କାନାଳ ପ୍ରତିନିଧି  । ନନ୍ଦିଘୋଷ ଟିଭିର ଏକ୍ସକ୍ଳୁସିଭ୍ ରିପୋର୍ଟ ।

ଦେଖନ୍ତୁ, କିଭଳି ବ୍ରାଉନସୁଗାର ନେବାରେ ବ୍ୟସ୍ତ ନିଶାଖୋର ଯୁବକ । ନିଶାର ଚକ୍ରବ୍ୟୂହରେ ଫସିଛନ୍ତି ଏମାନେ । ସେପଟେ ବ୍ରାଉନସୁଗାର ମାଫିଆ ମାଲମାଲ । ପାଠ ପଢ଼ି ଚାକିରି ନମିଳିବାରୁ ଶେଷରେ ଏହି ବାଟ ଆପଣାଇଥିବା ବ୍ରାଉନସୁଗାର ବେପାରୀ କହିଛନ୍ତି ।

ନିଜ ନାମ ଗୋପନ ରଖି ଗୋଲକ ଧନ୍ଦାର ଗୋଟିଗୋଟି ଗୋପନ ତଥ୍ୟ ବଖାଣି ଥିଲେ ନନ୍ଦିଘୋଷ ଟିଭଇ କ୍ୟାମେରା ସାମ୍‌ନାରେ । ରଙ୍ଗିନ କାଗଜରେ ଗୁଡ଼େଇ ବ୍ରାଉନସୁଗାରକୁ ସହରର ବିଭିନ୍ନ ସ୍ଥାନକୁ ପଠାଯାଉଛି  । କାମାକ୍ଷାନଗରର ଗଣ୍ଡିଆ ଓ କଣ୍ଟାବଣିଆ ପାଲଟିଛି ନିଶା ମାଫିଆଙ୍କ ଚରାଭୂଇଁ ।

ଗୋଟିଏ ଗ୍ରାମ୍‌ ପାଉଡରରେ ପ୍ରସ୍ତୁତ ହେଉଛି ୧୦ଟି ପୁଡ଼ିଆ  । ଏକ ଗ୍ରାମ୍‌ ପାଉଡରର ମୂଲ୍ୟ ରହିଛି ୩ହଜାର ଟଙ୍କା । ଏହି କାରବାରରେ ଲାଭ ଅଧିକ ଥିବା କହିଛନ୍ତି ବ୍ୟବସାୟୀ  ।  ପୂରା ଢେଙ୍କାନାଳରେ କାୟା ବିସ୍ତାର କରିଛି ଧଳା ଜହର ଧନ୍ଦା । ଏବେ ନିଶା କାରବାର ଏକ ମାନିଆରେ ପରିଣତ ହୋଇଛି  ।

ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ବେଧଡ଼କ ଚାଲିଛି କାରବାର । ଆଇନର ଗଳାବାଟ ଦେଇ ଅପରାଧୀ ଖସି ଯିବାକୁ ପ୍ରୟାସ କରୁଛି  । ସେପଟେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ଦ୍ୱାହି ଦେଇ ପୋଲିସ ନିଜ ଦାୟିତ୍ୱରୁ ଓହରି ଯିବାକୁ ବସିଛି । ବ୍ରାଉନସୁଗାର କାରବାର ନେଇ ଗତକାଲି ଏକ ପରିତ୍ୟକ୍ତ ଘରୁ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ  ।

ଢ଼େଙ୍କାନାଳରୁ ସତ୍ୟସ୍ୱରୁପ ଦାସଙ୍କ ରିପୋର୍ଟ

Leave a Reply