ଦରଦାମ୍ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯିବ ?

ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ କେନ୍ଦ୍ରୀୟ ବଜେଟ । ବଜେଟରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବା ଆଶା ରହିଛି । ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଲୋକ ଶୃଙ୍ଖଳିତ ନାଗରିକ ଭାବେ ଠିକ୍ ସମୟରେ ଟିକସ ଦିଅନ୍ତି। କିନ୍ତୁ ଅନ୍ଯମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ଫାଇଦା ଏମାନେ  ପାଆନ୍ତି ନାହିଁ । ତେଣୁ ଚାକିରିଆ ବର୍ଗ ଟିକସ ରିହାତି ଆଶାରେ ଅଛନ୍ତି । ନିଯୁକ୍ତି ଉପରେ ବି ଫୋକସ ରହିବ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବା କରୁରୀ । କାରଣ ବୃହତ ଶିଳ୍ପ ଅପେକ୍ଷା ଏସବୁ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ରହିଛି। ଆସନ୍ତୁ ନଜର ପକାଇବା କେନ୍ଦ୍ରୀୟ ବଜେଟକୁ ନେଇ କ’ଣ ରହିଛି ଚାକିରିଆ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ଆଶା।

ଫେବୃଆରୀ ପହିଲାରେ ଆସିବ କେନ୍ଦ୍ରୀୟ ବଜେଟ । ଅନ୍ତରୀଣ ବଜେଟ ହୋଇଥିଲେ ବି ନିର୍ବାଚନୀ ବର୍ଷ ହୋଇଥିବାରୁ ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀଙ୍କ ଉପରେ । ଏଥର ବଜେଟରେ ସାଧାରଣ ବର୍ଗଙ୍କ ପାଇଁ ଖୁସି ଖବର ଦେବେ କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ? ଆୟକର ସ୍ଲାବରେ ହେବ କି ପରିବର୍ତ୍ତନ ? ଦରଦାମ୍ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯିବ ? ବଜେଟକୁ ନେଇ ସବୁଠାରୁ ବେଶି ଆଶାବାଦୀ ଚାକିରିଆ ବର୍ଗ। ସରକାରୀ ଚାକିରିଆ ହୁଅନ୍ତୁ କି ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ସମସ୍ତଙ୍କ ନଜର ଟିକସ ରିହାତି ଉପରେ ଅଛି । ଅର୍ଥମନ୍ତ୍ରୀ ଏହା ଉପରେ ନଜର ଦେବେ ବୋଲି ଚାକିରିଆ ବର୍ଗ ଆଶା ବାନ୍ଧିଛନ୍ତି।

ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ଗତବର୍ଷ ଭଳି ଏଥର ବି ରହିବ ବୋଲି ଆଶା କରାଯାଉଛି । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସବସିଡି ସାଙ୍ଗକୁ ସହଜ ଋଣ ବ୍ୟବସ୍ଥା ଜରୁରୀ। କରୋନା ମହାମାରୀ ପରେ ସ୍ଥିତି ସୁଧୁରିଥିଲେ ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଚିନ୍ତାରେ ଅଛନ୍ତି। ଋଣ ପାଇଁ ବ୍ୟାଙ୍କଗୁଡ଼ିକ ଗ୍ୟାରେଣ୍ଟି ଉପରେ ଜୋର୍ ଦେଉଥିବା ବେଳେ ଏହା ଉପରେ ବଜେଟରେ ଅର୍ଥମନ୍ତ୍ରୀ ଗୁରୁତ୍ବ ଦେବେ ବୋଲି ଆଶା ରହିଛି।