spot_img

Latest Posts

କେନ୍ଦ୍ରୀୟ ବଜେଟ: ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ବ୍ୟୟବରାଦ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ୨୦୨୨-୨୩ ବର୍ଷ ପାଇଁ ଆଗତ ବଜେଟକୁ ନେଇ ପ୍ରତିକ୍ରିୟା ରଖି ମଧ୍ୟମ ଓ ଗରୀବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ବଜେଟ୍‌ରେ କୌଣସି ବ୍ୟବସ୍ଥା ନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଦ୍ରାସ୍ପୀତି ଓ ଦରବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ଲୋକମାନେ ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ବଜେଟ୍‌ରେ ଏ ସମସ୍ୟା ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହିତ ଏଲ୍‌ପିଜି ଗ୍ୟାସ୍‌ରେ ଦିଆଯାଉଥିବା ରିହାତି ଅତିରିକ୍ତ ଭାବେ ହ୍ରାସ ପାଉଛି । ଏହା ସାଧାରଣ ଜନତାଙ୍କ ଘରୋଇ ଅର୍ଥନୀତିକୁ ଭୟଙ୍କର ଭାବେ ପ୍ରଭାବିତ କରିବ । ବିଶେଷକରି ମହିଳାମାନଙ୍କୁ ଏଲ୍‌ପିଜି ଦରବୃଦ୍ଧି ପରିଣାମ ଭୋଗିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ଏହା ସହିତ ମହାମାରୀ ସମୟରେ ମନ୍‌ରେଗା କାର୍ଯ୍ୟକ୍ରମକୁ କମ୍ ଅର୍ଥ ଆବଣ୍ଟନ ଗରିବ ଲୋକମାନଙ୍କ ପାଇଁ ଆହୁରି ଅସୁବିଧା ସୃଷ୍ଟି କରିବ ବୋଲି ସେ କହିଛନ୍ତି । କୃଷି ଓ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମ ବିକାଶ, ମହିଳା ଓ ଶିଶୁ କଲ୍ୟାଣ ପରି ବିଭିନ୍ନ ଜରୁରୀ କ୍ଷେତ୍ରକୁ ଆବଣ୍ଟନ ହ୍ରାସ ଦ୍ୱାରା ଅନ୍ତର୍ଭୁକ୍ତ ଭିତ୍ତିକ ଅଭିବୃଦ୍ଧି ପ୍ରଭାବିତ ହେବ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି ।

ଏଫ୍‌ସିଆଇ ଦ୍ୱାରା ଶସ୍ୟ ଉଠାଣରେ ଅନେକ ସମସ୍ୟା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ୱାରା ଧାନ ସଂଗ୍ରହ ପ୍ରଭାବିତ ହେଉଛି । ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ରିହାତି ହ୍ରାସ ଦ୍ୱାରା ଚାଷୀମାନେ ଗମ୍ଭୀର ସମସ୍ୟାର ପଡ଼ିବେ ଏବଂ ଏହାର ପୁନର୍ବିଚାର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ରୀୟ କର ବ୍ୟବସ୍ଥା ସେସ୍ ଓ ସରଚାର୍ଜର କ୍ରମାଗତ ବୃଦ୍ଧି ଦ୍ୱାରା ରାଜ୍ୟମାନେ କେନ୍ଦ୍ରୀୟ କରରୁ ତାଙ୍କର ନ୍ୟାୟୋଚିତ ଭାଗ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ କରର ୨୦ ପ୍ରତିଶତରୁ ଅଧିକ ଅଂଶ ସେସ୍ ଓ ସରଚାର୍ଜ ଦ୍ୱାରା ଆଦାୟ କରିବାକୁ ପ୍ରସ୍ତାବ ରହିଛି । ଏହା ସହଭାଗୀ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଅଧିକ ଆବଣ୍ଟନ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । କିନ୍ତୁ ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାବାସୀଙ୍କ ନ୍ୟାର୍ଯ୍ୟ ଦାବିକୁ ଉପେକ୍ଷା କରାଯାଇଥିବା ବେଳେ ଏହା ଜନ ସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । କେନ୍ଦ୍ର ସରକାର ଓଡ଼ିଶାର ଗରିବ ଏବଂ ଆଦିବାସୀ ଜନସାଧାରଣଙ୍କ ସହ ହେଉଥିବ ଅନ୍ୟାୟ ପ୍ରତି ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯାହା- ବାରମ୍ୱାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ  ହେଉଛି । ତେଣୁ ଓଡ଼ିଶା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବଜେଟରେ ଓଡ଼ିଶା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇନାହିଁ ।

ପୁଷ୍ଟି ସୁରକ୍ଷା ଓ ଚାଷୀଙ୍କ ରୋଜଗାର ବୃଦ୍ଧିରେ ଓଡ଼ିଶା ମିଲେଟ ମିଶନ ଏକ ଚମତ୍କାରୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରି 2୦୨୩କୁ ମିଳିତ ଜାତିସଂଘ ପକ୍ଷରୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବଜେଟ୍‌ରେ ମିଲେଟକୁ ଗୁରୁତ୍ୱ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ବଜେଟରେ ପ୍ରଯୁକ୍ତି ଓ ଭିତ୍ତିଭୂମି ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହାର ଅନୁକୂଳ ପ୍ରଭାବ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ଓ ଶିକ୍ଷାରେ ପ୍ରସ୍ତାବିତ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଅଭିବୃଦ୍ଧି ମହାମାରୀ ସମୟରେ ଦେଶପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।

Latest Posts

Don't Miss