ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରେ ଏକ ପୂରୁଣା କୋଠା ଭଙ୍ଗା ହେଉଥିବା ବେଳେ ଭୁଶୁଡି ପଡିଛି । ଏହି ଅଘଟଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଲିଙ୍ଗରାଜ ବିହାର ଅଞ୍ଚଳର ଏହି କୋଠାକୁ ସମ୍ପୁର୍ଣ୍ଣ ଭାଙ୍ଗିବାକୁ ଘର ମାଲିକ ଜଣେ ଠିକାଦାରଙ୍କୁ ଦାୟିତ୍ବ ଦେଇଥିଲେ । ଗତ ସାତ ଆଠ ଦିନ ହେଲା ଭଙ୍ଗା କାର୍ଯ୍ୟ ଜାରି ରହିଥିଲା । ଆଜି ସନ୍ଧ୍ୟାରେ ମଧ୍ୟ ବର୍ଷା ସମୟରେ ଶ୍ରମିକମାନେ କାମ କରୁଥିବା ଦେଖି କିଛି ସ୍ଥାନୀୟ ଲୋକ ବାରଣ କରିଥିଲେ । କିନ୍ତୁ କାମ ବନ୍ଦ ହୋଇନଥିଲା । ଏକ କଙ୍କ୍ରିଟ ଛାତ ଭଙ୍ଗାଯାଉଥିବା ତାହା ଭୁଶୁଡି ପଡିଥିଲା । ଏଥିରେ ବିମ ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକ ୨ଜଣଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । କଙ୍କ୍ରିଟ୍ ତଳେଆଉ କେହି ଶ୍ରମିକ ଚାପି ହୋଇଥିବା ସନ୍ଦେହରେ ଠାବ କରିବା ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ପୋଲିସ କମିଶନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ବଲ୍ଡିଂ କାମ ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ନାହିଁ ତାର ତଦନ୍ତ ହେବ ବୋଲି କହିଛନ୍ତି ପୋଲିସ କମିଶନର ।