ଶିବଲିଙ୍ଗ ସହ ବୁଲେଟରାଣୀଙ୍କ ୯ହଜାର ୫ ଶହ କିଲୋମିଟରର ଯାତ୍ରା

ବୁଲେଟରାଣୀ ନାଁରେ ପରିଚିତ ରାଜଲକ୍ଷ୍ମୀ ମନ୍ଦା । ଦେବ ଦେବ ମହାଦେବଙ୍କୁ ନେଇ ସାରା ଦେଶ ବୁଲୁଛନ୍ତି ମନ୍ଦା । ୯ ଫୁଟ ଲମ୍ୱ ୯ ଫୁଟ ଉଚ୍ଚ ଶିବଲିଙ୍ଗ ସହ କରୁଛନ୍ତି ଯାତ୍ରା । ଏକ ଟ୍ରକରେ ମହାଦେବ ପତ୍ନୀ ପାର୍ବତୀ, ପୁତ୍ର ଗଣେଶ, କାର୍ତ୍ତିକଙ୍କୁ ନେଇ ୧୨ଗୋଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି ସେ । ୧୨ ଗୋଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିସାରିବା ପରେ ସୁନ୍ଦରବନ ଭଦୋହୀଠାରେ ଏହି ଲିଙ୍ଗକୁ ସ୍ଥାପନା କରିବାର ଯୋଜନା ରଖିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଟ୍ରକ୍ ଅନ୍ୟ କେହି ନୁହେଁ ବରଂ ନିଜେ ଚଳାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୯ ଗୋଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିସାରିଛନ୍ତି । ଆଉ ବାକି ଅଛି ତିନୋଟି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୨୧ ରାଜ୍ୟରେ ୩୩ ହଜାର କିଲୋମିଟର ବାଇକ ଚଳାଇ ପ୍ରଚାର କରିଥିଲେ ମନ୍ଦା । ମାତ୍ର, ଏଥର ମହାଦେବଙ୍କୁ ନେଇ ଟ୍ରକରେ ବାହାରିଛନ୍ତି । ବର୍ତ୍ତମାନ ସେ ଧୋଲପୁରରେ ପହଞ୍ଚିସାରିଥିବା ସୂଚନା ମିଳିଛି । ସେଠାରେ ପହଞ୍ଚିବା ପରେ ଭଗବାନ ଶିବଙ୍କ ଆଶିର୍ବାଦ ନେବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ଧର୍ମର ରକ୍ଷା ପାଇଁ ନିଜ ଦଳର ସଦସ୍ୟଙ୍କ ସମେତ ମାର୍ଚ୍ଚ ୧ ତାରିଖରେ ମନ୍ଦା ଏହି ପ୍ରତିଜ୍ଞା ନେଇଥିଲେ । ତେଣୁ ନିଜ ପ୍ରତିଜ୍ଞା ଅନୁସାରେ ସେ ଏହି ଯାତ୍ରା କରୁଥିବା କହିଛନ୍ତି । କାଉନସିଲିଂ ଅଫ୍ ଇଣ୍ଡିଆ ତରଫରୁ ମନ୍ଦା ନିଜ ଦଳ ସହ ୯ ହଜାର ୫ ଶହ କିଲୋମିଟର ଯାତ୍ରା କରିବାକୁ ସ୍ଥିର କରିଥିଲେ ।

ବାକି ରହିଲା ୩ ଗୋଟି ଜ୍ୟୋର୍ତିଲିଙ୍ଗ : ଆଉ ୩ ଗୋଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ବାକି ଅଛି ବୋଲି ମନ୍ଦା କହିଛନ୍ତି । ଦଳର ୨୫ ସଦସ୍ୟଙ୍କୁ ନେଇ ସେ ଏହି ଦର୍ଶନ କରୁଥିବା ଦେଖାଯାଇଛି । ଠିକ୍ ବର୍ଷେ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସାଢ଼େ ୯ ଟନ୍ ଓଜନ ବିଶିଷ୍ଟ ଟ୍ରକକୁ ନିଜ ହାତରେ ଟାଣି ଚର୍ଚ୍ଚାକୁ ଆସିଥିଲେ ମନ୍ଦା । ବର୍ତ୍ତମାନ ୧୨ଗୋଟି ଜ୍ୟୋର୍ତିଲିଙ୍ଗଙ୍କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଉ ୪୮ ଦିନ ପରେ ତାଙ୍କର ଏହି ଯାତ୍ରା ପୂରଣ ହେବ । ତାଙ୍କର ଏହି ଯାତ୍ରାର ଶେଷ ସୁନ୍ଦରବନର ଭଦୋହୀରେ ହେଉଥିବାରୁ ଏଠାରେଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।