ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଆଣୁଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୨ ଗୁରୁତର

ଟାଙ୍ଗୀ: ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଆଣୁଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ କୁହୁଡି ଛକରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ ଡ୍ରାଇଭର ଏମ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି । ଆଜି ଭୋର ୪ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଛକରେ ବସ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି ।

ବସଟି ପ୍ରବାସୀଙ୍କୁ ନେଇ ହାଇଦ୍ରାବାଦରୁ ଖୋର୍ଦ୍ଧା ଆସୁଥିଲା। ବସରେ ଥିବା ପ୍ରବାସୀମାନେ ନିମାପଡା, ପିପିଲି , ବାଙ୍କୀ ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ଭୋରରୁ ବସ ହାଇଦ୍ରାବାଦରୁ ଓଡିଶା ଅଭିମୁଖେ ବାହାରିଥିଲା। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସପିଟାଲ ପହଞ୍ଚାଇଥିଲା ।

 

ତେବେ ହସ୍ପିଟାଲରେ ଡାକ୍ତର ଡ୍ରାଇଭର ଏମ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ପ୍ରବାସୀ ଯାତ୍ରୀମାନଙ୍କୁ ଅନ୍ୟ ଗାଡିରେ ନିଜ ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏହି ଘଟଣାକୁ ମିଶାଇ ୪ଟି ଏଭଳି ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି। ସୁରତରୁ ଓଡିଶା ଫେରୁଥିବା ଦୁଇଟି ବସ ପୃଥକ ପୃଥକ ଘଟଣାରେ ଦୁର୍ଘଟାଗ୍ରସ୍ତ ହୋଇଥିଲା।

 

ଫୁଲବାଣୀ ଜିଲ୍ଲାର କଳିଙ୍ଗା ଘାଟିରେ ଦୁଇଟି ବସ ଦୁର୍ଘଟଣା ହୋଇ ଦୁଇ ଜଣଙ୍କର ମୃତ୍ୟୁ ପ୍ରାଣହାନି ଘଟିଥିଲା। ଏହାପରେ ରାଜ୍ୟ ପରିବହନ ବିଭାଗ ବସ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ । ତଥାପି ଆଜି ପୁଣି ଏକ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି । ସମ୍ଭବତ ବାହାର ରାଜ୍ୟର ଚାଳକମାନେ ଆସୁଥିବାରୁ ରାଜ୍ୟର ରାସ୍ତାଘାଟ ସହ ଖାପ ଖୁଆଇ ପାରୁନାହାନ୍ତି । ଫଳରେ ଏଭଳି ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।

Leave a Reply