ଡ୍ରାଇଭର ଆନ୍ଦୋଳନ: ଓଡ଼ିଶାରେ ଶହେ କୋଟିରୁ ଅଧିକ ବ୍ୟବସାୟୀକ କ୍ଷତି

ଭୁବନେଶ୍ବର: ପ୍ରତ୍ୟାହୃତ ହୋଇଛି ଡ୍ରାଇଭରଙ୍କ ଆନ୍ଦୋଳନ । ହେଲେ ସ୍ବାଭାବିକ ହୋଇପାରିନି ସ୍ଥିତି । ୩ ଦିନର ଆନ୍ଦୋଳନ ଯୋଗୁଁ ଓଡ଼ିଶାରେ ପ୍ରାୟ ଶହେ କୋଟିରୁ ଅଧିକ ଟଙ୍କାର ବ୍ୟବସାୟିକ କ୍ଷତି । ଯାହା ସିଧାସଳଖ ବ୍ୟବସାୟୀ ଓ ଚାଷୀଙ୍କ ଉପରେ ପକାଇଛି ପ୍ରଭାବ । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାରୁ ମାଲ୍ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ରାଜ୍ୟ ବାହାରୁ ଆସି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶହ ଶହ ସଂଖ୍ୟାରେ ଟ୍ରକ ଗତ ରାତିରୁ ପୁଣି ନିଜ ନିଜ ଗନ୍ତବ୍ୟ ପଥରେ ବାହାରି ପହଞ୍ଚୁଛନ୍ତି । ତେବେ କଞ୍ଚାମାଲ ପଚି ନଷ୍ଟ ହୋଇଯାଇଥିବା ବେଳେ ଶୁଖିଲା ସାମଗ୍ରୀ ସବୁ ଏକକାଳୀନ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚିବା ଫଳରେ ମାର୍କେଟ ପୁଣି ପ୍ରଭାବିତ ହୋଇଛି ।

ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ବଜାରରେ ମାଳ ମାଳ ଟ୍ରକ । କଞ୍ଚା ମାଲ ନଷ୍ଟ ଯୋଗୁଁ ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ ଓ ଚାଷୀ । ଓଡିଶାକୁ ସାଧାରଣତଃ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଆଳୁ ଓ ପିଆଜ ଆସୁଥିବା ବେଳେ ରାଞ୍ଚିରୁ କଞ୍ଚା ପନିପରିବା ଓ ଆନ୍ଧ୍ରରୁ ମାଛ ଆସିଥାଏ । ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସଡକ ପରିବହନ ଠପ୍ ହୋଇ ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ମାଲବାହୀ ଟ୍ରକ ଅଟକି ରହିଥିଲା । ମହରାଷ୍ଟ୍ରରୁ ଓଡିଶାକୁ ଆସିବାକୁ ୩ ଦିନ ଲାଗୁଥିବା ବେକେ ରାଞ୍ଚିରୁ ୧୪ ଘଣ୍ଟା ଲାଗୁଥିଲା । ୩ ଦିନର ଧର୍ମଘଟ ଯୋଗୁଁ ଦୀର୍ଘଦିନ ଧରି ରାସ୍ତାରେ ପଡିରହି ଉଭୟ କଞ୍ଚା ଓ ପାଚିଲା ପନିପରିବା ଓ ଫଳମୂଳ ସାଙ୍ଗକୁ ମାଛ ନଷ୍ଟ ହୋଇଛି । ଧର୍ମଘଟ ପ୍ରତ୍ୟାହୃତ ପରେ ବଜାରକୁ ଆସିବା ପରେ ସବୁଗୁଡିକ ନଷ୍ଟ ହୋଇ ଫୋପାଡିବାକୁ ପଡିଛି । ଫଳରେ ଚାଷୀ ଓ ବ୍ୟବସାୟୀଙ୍କୁ ସିଧାସଳଖ କ୍ଷତି ସହିବାକୁ ପଡିଛି ।

ଧର୍ମଘଟ ସମୟରେ ଦରଦାମ ବୃଦ୍ଧି ନପାଇ ନିୟନ୍ତ୍ରଣରେ ଥିଲେ ସୁଦ୍ଧା ଧର୍ମଘଟ ପରବର୍ତ୍ତୀ ସମୟରେ ବଜାର ପ୍ରଭାବିତ ହୋଇଛି । ଭୁବନେଶ୍ବରକୁ ଦୈନିକ ୧୦ରୁ ୧୨ ଟ୍ରକ ଆଳୁ ଓ ପିଆଜର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ହଠାତ୍ ଏକକାଳୀନ ୬୦ରୁ ଅଧିକ ଟ୍ରକ ଆସିଯାଇଛି । ଫଳରେ ପର୍ଯ୍ୟାପ୍ତ ପରିମାଣର ଆଳୁ ଓ ପିଆଜ ମହଜୁଦ ହେବା ଯୋଗୁଁ ବ୍ୟବସାୟୀଙ୍କୁ ସେଗୁଡିକୁ କମ୍ ଦରରେ ବିକ୍ରି କରି କ୍ଷତି ସହିବାକୁ ହେବ । ତେବେ ସ୍ବାଭାବିକ ଅବସ୍ଥାକୁ ଫେରିବାକୁ ଆଉ ଦିନେ କିମ୍ବା ଦୁଇଦିନ ସମୟ ଲାଗିବ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବର୍ଷା ଆଶଙ୍କା ଥିବାରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ପୁଣି ଆଳୁ ଓ ପିଆଜ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି । ତେବେ କିଛି ଆଶଙ୍କା କରି ଅଧିକ ସାମଗ୍ରୀ କ୍ରୟ କରି ଅଯଥା କୁତ୍ରିମ ଅଭାବ ସୃଷ୍ଟି ନକରିବାକୁ ପରାମର୍ଶ ଦିଆଯାଇଛି ।