ଷ୍ଟାର ପ୍ରଚାରକଙ୍କୁ ନେଇ ଜମୁଛି ପ୍ରଚାର: ବାଲେଶ୍ୱରରେ ବିଜେଡିର ବିରାଟ୍ ରୋଡ୍ ଶୋ’

1 min read

ଜମୁଛି ଉପନିର୍ବାଚନ ତାତି । ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ। ମଇଦାନକୁ ଓହ୍ଲାଇଛନ୍ତି ସବୁ ଦଳର ଷ୍ଟାର୍‌ ପ୍ରଚାରକ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବଡ଼ ନେତା ଡେରା ପକାଇଛନ୍ତି । ଆଉ ୯ଦିନ ପରେ ପ୍ରଚାର ସରିବ । ତେଣୁ ସବୁ ଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ସବୁ ପ୍ରକାର ରଣକୌଶଳ ଆପଣାଉଛନ୍ତି  । ବାଲେଶ୍ୱରରେ ବିଜେଡିର ବିରାଟ ରୋଡ୍‌ ଶୋ’ । ବିଭିନ୍ନ ଓ୍ୱାର୍ଡରେ ପ୍ରଚାର  । ଦଳ ପକ୍ଷରୁ ଆଜି ଆଳୁମେଦା, କଷାଫଳରେ ସଭା ସହ ରୋଡ୍‌ ଶୋ’ କରାଯାଇଥିଲା। ପଞ୍ଚୁପଡାରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ସଭା କରିଥିଲେ । ସେପଟେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ଘରଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ମାନସଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ସହରରେ ପଦଯାତ୍ରା କରିଥିଲେ। ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ କରିଥିଲା  ।

https://www.facebook.com/NandighoshaTV/videos/681005799507394

ଦଳର ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନେତା ଓ କର୍ମୀଙ୍କ ସାଥୀରେ ପ୍ରଚାର କରିଥିଲେ  । ପିସିସି ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲାକା , ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝିଙ୍କ ଭଳି ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ରୋଡ୍‌ ଶୋ’ରେ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି । ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ବିଜେଡିର ବହୁ ହେଭିଓ୍ୱେଟ୍‌ ରାସ୍ତାକୁ ଓହ୍ଲାଇଥିବାବେଳେ ପଛରେ ପଡ଼ିଯାଇଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ଆସିବାର ଥିଲା । କିନ୍ତୁ ଶେଷରେ ଭର୍ଚୁଆଲ ବୈଠକରେ ସନ୍ତୁଷ୍ଟ ହେବାକୁ ପଡିଛି। ନିର୍ବାଚନକୁ ଆଉ ମାତ୍ର କେଇଦିନ ଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି  ।

Leave a Reply

ନଜର ପକାନ୍ତୁ