NHରେ ଦୁର୍ଘଟଣାଜନିତ ମୃତ୍ୟୁରେ ଲାଗିବ ବ୍ରେକ୍, ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରୁ କଟକ ମଧ୍ୟରେ ଲାଗିବ ସ୍ପିଡ ଲିମିଟ୍

1 min read

ଭୁବନେଶ୍ୱର: ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ । ଖାସ୍ କରି ୯୦ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧା-ଚଣ୍ଡିଖୋଲ ଜାତୀୟ ରାଜପଥରେ ୧୨ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ରିପୋର୍ଟ କରିଛି ପରିବହନ ବିଭାଗ । ଏଣିକି NHରେ ଦୁର୍ଘଟଣାଜନିତ ମୃତ୍ୟୁରେ ଲାଗିବ ବ୍ରେକ୍ । ଦୁଇ ମାସ ଭିତରେ ଟ୍ରାଫିକ୍ ବ୍ୟବସ୍ଥା ସୁଧାରି ଖୋର୍ଦ୍ଧା-ଚଣ୍ଡିଖୋଲ ଜାତୀୟ ରାଜପଥରୁ ବେଆଇନ୍ ପାର୍କିଂ ଓ ଜବରଦଖଲ ଉଚ୍ଛେଦ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡେଡଲାଇନ୍ ଦେଇଛି ପରିବହନ ବିଭାଗ। ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରୁ କଟକ ମଧ୍ୟରେ ସ୍ପିଡ ଲିମିଟ୍ ଓ ସାଇନ୍ ବୋର୍ଡ ଲଗାଯିବ। ଏହି ସମୟ ଭିତରେ ପୋଲିସ ଦ୍ବାରା ହାଇଓ୍ବେ ପାଟ୍ରୋଲିଂ ଟିମକୁ ଟ୍ରେନିଂ ଦିଆଯିବ। ଜୁଲାଇ ଶେଷ ଯାଏଁ ଜାତୀୟ ରାଜପଥରେ ଏନଏଚଏଆଇ ହେଲ୍ପଲାଇନ୍ ନମ୍ବର- ୧୦୩୩ର ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ଏଥିସହ ସାଇନେଜ୍ ଲଗାଇବା କାମ ବି ସରିବ। ହେଭି ଡ୍ୟୁଟି୍ କ୍ରେନ୍ ଦ୍ବାରା ରାସ୍ତାରୁ ବଡ଼ ଗାଡ଼ି ହଟାଯିବ। ଜାତୀୟ ରାଜପଥରେ ବାଲି ବୋଝେଇ ଗାଡ଼ିରୁ ବାଲି ପଡ଼ିଲେ, ନିଆଯିବ ଆକ୍ସନ ।

ଜୁନ ୧୫ ସୁଦ୍ଧା ଚଣ୍ଡିଖୋଲ ଦର୍ପାଣୀଠାରେ ଟ୍ରକ ଟର୍ମିନାଲ ପାଇଁ ଜାଗା ଚିହ୍ନଟ ହେବ। ଚଣ୍ଡିଖୋଲ ଛକର ବୈଷୟିକ ପ୍ଲାନରେ ସଂଶୋଧନ ଓ ପୁନଃନିର୍ମାଣ କରାଯିବା ସହ ବେଆଇନ୍ ପାର୍କଂ ରୋକାଯିବ। ସେହିପରି ମଙ୍ଗୁଳି ଛକ ଓ ପାହାଳ ଜାତୀୟ ରାଜପଥ କଡ଼ରୁ ଜବରଦଖଲ ହଟାଯିବ। ଖୋର୍ଦ୍ଧା-ଚଣ୍ଡିଖୋଲ ଷ୍ଟ୍ରେଚରେ କ୍ରାସ୍ ବ୍ୟାରିଅର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏନଫୋର୍ସମେଣ୍ଟରେ ସାଧାରଣ ନାଗରିକ ବି ସାମିଲ ହେବେ । ଜାତୀୟ ରାଜପଥରୁ ବେଆଇନ୍ ପାର୍କିଂ ଓ ଜବରଦଖଲ ଉଚ୍ଛେଦ ପାଇଁ ଏନଏଚଏଆଇ, ପୋଲିସ୍, ପରିବହନ ବିଭାଗ ଓ ଠିକା ପାଇଥିବା ସଂସ୍ଥାଙ୍କ ମିଳିତ ଦାୟିତ୍ବ ରହିଛି । ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏକଚାଟିଆ ଭାବେ କାମ କରିବାରୁ ସ୍ଥାୟୀ ସମାଧାନ ବାଟ ଫିଟୁ ନଥିବା ଅନୁଭବ କରିଛି ସଡ଼କ ସୁରକ୍ଷା କମିଟି ।