ଆସନ୍ତା ମାସ ସୁଦ୍ଧା ଦେଶରେ ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା

1 min read

ନୂଆଦିଲ୍ଲୀ: ଆସନ୍ତା ମାସ ସୁଦ୍ଧା ଦେଶରେ ପିଲାଙ୍କ ଲାଗି ଉପଲବ୍ଧ ହେବ କୋଭିଡ ଟିକା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ। ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି। ଗତବର୍ଷ ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଉଦ୍ଦିଷ୍ଟ କୋଭାକ୍ସିନର ଫେଜ୍ ୨ ଓ ଫେଜ୍ ୩ ପ୍ରକ୍ରିୟା ଚାଲୁ ରହିଛି।

ଖୁବ ଶୀଘ୍ର ଏନେଇ ସକାରାତ୍ମକ ଫଳ ମିଳିବ। ପରେ ନିୟାମକ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିଲେ ଟିକାଦାନ ଆରମ୍ଭ ହେବ। ସେହିପରି ଜାଇଡସ କାଡିଲା ଟିକାର ବି ଟ୍ରାଏଲ ଜାରି ରହିଛି। ଏହାକୁ ବି ଖୁବ୍ ଶୀଘ୍ର ଅନୁମତି ଦିଆଯାଇପାରେ। ଜାଇଡସ କାଡିଲା ଟିକା ହେଉଛି ପ୍ରଥମ ଡିଏନଏ ଟିକା, ଯାହାକି ବ୍ୟବହାର ଉପଯୋଗୀ ହେବ। ସେହିପରି ଜେନୋଭ ବାୟୋ ଫାର୍ମାସ୍ୟୁଟିକାଲର ଏମ ଆରଏନଏ ଟିକା ବାୟୋଲୋଜିକାଲ-ଇ ଭ୍ୟାକ୍ସିନ, ସେରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ବି ଉପଲବ୍ଧ ହେବ।

ଏହାସହ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଇଣ୍ଟରନାଜାଲ ଭାକ୍ସିନ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଭୂତାଣୁ ସମ୍ପର୍କରେ ସେ କହିଛନ୍ତି, ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ ଭାରିଆଣ୍ଟ କମ୍ ସଂକ୍ରମଣ କରିବ। ଡେଲଟା ଭାରିଆଣ୍ଟ ୧୩୦ରୁ ଅଧିକ ଦେଶରେ ଦେଖାଦେଇଛି। ଏହା ଅତି ଶକ୍ତିଶାଳୀ। ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଦେଇଛି ଯେ, ସେମାନଙ୍କ ଆଣ୍ଟିବଡି ସୃଷ୍ଟି ପରିମାଣ ଦୁଇ-ତିନି ଗୁଣ ହ୍ରାସ ପାଇଛି। ତେବେ ଟିକା ନେବା ଜରୁରୀ ବୋଲି ସେ ଦର୍ଶାଇଛନ୍ତି।

Leave a Reply