କଲବଲ କରୁଛି ଉପକୂଳରେ ତାତି ସହ ଗୁଳୁଗୁଳି

ଭୁବନେଶ୍ୱର : ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା ।  ଉପକୂଳରେ ତାତି ସହ ଗୁଳୁଗୁଳି କଲବଲ କରୁଛି ।  ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହୁଛି ପାରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ  । ଦିନ ୧୦ଟାରୁ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର। ଶିଶୁ, ବୟସ୍କ ଏବଂ ରୋଗୀଙ୍କୁ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି । ସାରା ରାଜ୍ୟରେ ଏବେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେଇଛି ହଟ୍ ଓ୍ବେଦର କଣ୍ଡିସନ୍। ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ରାଜ୍ୟରେ ତାତି ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେଇଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଉପକୂଳ ଓଡ଼ିଶାରେ ଦିନ ୧୦ଟା ପରେ ତାତିର ଅଘୋଷିତ କର୍ଫ୍ୟୁ ଲାଗୁଛି। ତାତି ସହ ଅସହ୍ୟ ଗୁଳୁଗଳିରେ ସନ୍ତୁଳିହେଉଛନ୍ତି ଲୋକେ। ଆଗାମୀ ୪,୫ ଦିନ ପର୍ଯ୍ୟନ୍ତ ଏହି ଭଳି ଆଦ୍ର ଓ ଉଷ୍ମ ପାଣିପାଗ ଜନିତ ସମସ୍ୟା ଲାଗିରହିବ।

କେବଳ ଦିନ ନୁହେଁ ରାତ୍ରୀର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ। ତେଣୁ ଏହି ପାଗରେ ଛୋଟ ପିଲା , ବୟସ୍କ ଓ ରୋଗାକ୍ରାନ୍ତ ବ୍ୟକ୍ତି ପ୍ରଭାବିତ ହୋଇପାରନ୍ତି। ଯଦି ପିକ୍ ଆଓ୍ବାରରେ କେହି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ସାଙ୍ଗରେ ଛତା ନେବାସହ ଧଳା ଶୁଷ୍କ ପୋଷାକ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ହଟ୍ ଓ୍ବେଦର କଣ୍ଡିସନ୍ ମଧ୍ୟରେ ଉତ୍ତର ଓଡ଼ିଶାରେ ରହିଛି କାଳବୈଶାଖୀ ଭୟ । ଆଜି  ବଜ୍ରପାତ ଜନିତ ବର୍ଷା ପନବ ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।  ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର। ବର୍ଷା ହେଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବନି