ମୋରଡାରେ ଜମୁଛି ପ୍ରଚାର; ଭୋଟରଙ୍କୁ ମନାଇବାକୁ ସବୁ ଦଳ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ

ବାରିପଦା: ଚଳିତ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜିବା ପରେ ଜୋର ଧରିଛି ପ୍ରଚାର । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବାକୁ ଯାଉଛି । ସେହିପରି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ ୧ ତାରିଖରେ ହେବ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ମୋରଡା ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଭିନ୍ନ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଶାଣିତ କରିଛନ୍ତି । ସବୁ ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷକୁ ନେବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ।

ସୂଚନାଯୋଗ୍ୟ, ମୋରଡା ବ୍ଲକର ୨୦ଟି ପଞ୍ଚାୟତ, ଶୁଳିଆପଦା ବ୍ଲକର ୧୬ଟି ପଞ୍ଚାୟତ ଓ ରାସଗୋବିନ୍ଦପୁର ବ୍ଲକର ୧୬ଟି ପଞ୍ଚାୟତକୁ ନେଇ ମୋରଡା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ମୋଟ ଭୋଟର ସଂଖ୍ଯା ୨ ଲକ୍ଷ ୩୨ ହଜାର ୩୫୨ । ପୁରୁଷ ଭୋଟରଙ୍କ ସଂଖ୍ଯା ୧ ଲକ୍ଷ ୧୬ ହଜାର ୨୬୮ ରହିଥିବା ବେଳେ ମହିଳା ଭୋଟର ସଂଖ୍ଯା ୧ ଲକ୍ଷ ୧୬ ହଜାର ୭୫ । ଏଠାରେ ତୃତୀୟ ଲିଙ୍ଗ ମତଦାତା ୯ ଜଣ ଅଛନ୍ତି । ଚଳିତ ନିର୍ବାଚନରେ ଏଠାରୁ ବିଜେଡି ପକ୍ଷରୁ ପ୍ରୀତିନନ୍ଦା କାନୁନଗୋ, ବିଜେପି ପକ୍ଷରୁ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କଂଗ୍ରେସ ପକ୍ଷରୁ ପ୍ରଭାସ କୁମାର ମହାପାତ୍ର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

୨୦୦୯ରେ ଏଠାରୁ ବିଜେଡିରୁ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବାଜିମାତ କରିଥିଲେ । ତାଙ୍କୁ ୩୭ ହଜାର ୬୦୯ ଖଣ୍ଡ ଭୋଟ ମିଳିଥିଲା । ଜେଏମଏମ ପକ୍ଷରୁ ବିମଳଲୋଚନ ଦାସ ଲଢି ୩୧ ହଜାର ୪୦୮ ଖଣ୍ଡ ଭୋଟ ପାଇଥିଲେ । ବିଜେପିରୁ ରାଜକିଶୋର ଦାସ ୨୬ ହଜାର ୯୫୫ ଖଣ୍ଡ ଭୋଟ୍ ପାଇଥିଲେ ।

ସେହିପରି ୨୦୧୪ରେ ବିଜେଡିରୁ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଲଢି ୫୨ ହଜାର ୨୦୭ ଖଣ୍ଡ ଭୋଟ ପାଇଥିଲେ । ବିଜେପିରୁ ରାଜକିଶୋର ଦାସ ୪୫ ହଜାର ୨୫୧ ଖଣ୍ଡ ଭୋଟ୍ ପାଇଥିଲେ । କଂଗ୍ରେସରୁ ପ୍ରଭାସକର ମହାପାତ୍ରଙ୍କୁ ମିଳିଥିଲା ୨୪ ହଜାର ୭୯୦ ଭୋଟ୍ ।

୨୦୧୯ରେ ବିଜେଡିରୁ ରାଜକିଶୋର ଦାସ ବାଜିମାତ କରିଥିଲେ । ତାଙ୍କୁ ମିଳିଥିଲା ୬୮ ହଜାର ୫୫୧ ଖଣ୍ଡ ଭୋଟ । ବିଜେପିରୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଥିଲା ୬୧ ହଜାର ୮୪୭ ଭୋଟ୍ । କଂଗ୍ରେସରୁ ପ୍ରଭାସକର ମହାପାତ୍ରଙ୍କୁ ୨୩ ହଜାର ୬୦୦ ଭୋଟ୍ ମିଳିଥିଲା । ଚଳିତ ନିର୍ବାଚନରେ ମୋରଡା ବିଧାନସଭା କ୍ଷେତ୍ର ହାତେଇବାକୁ ଆଶା ରଖିଛନ୍ତି ୩ ଦଳର ପ୍ରାର୍ଥୀ ।