ଗିରିଶୋଲା ନିକଟରୁ କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ତପନ ଠାବ

ବଡମ୍ବା: ଠାବ ହେଲେ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ । ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରୁ ତପନଙ୍କୁ ଠାବ କରିଛି ପୋଲିସ । ମୋବାଇଲ ଟ୍ରାକିଂ ଓ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରି ତପନଙ୍କୁ ଠାବ କରାଯାଇଛି । ତାଙ୍କ ଠାରୁ ଏକ ବାଇକ ଜବତ ହୋଇଛି । ପରେ ଗୋଳନ୍ଥରା ଥାନାରେ ପଚରାଉଚରା କରାଯାଇଥିଲା । ତପନ ନିଖୋଜ ହେବାର କାରଣ ସ୍ପଷ୍ଟ ହୋଇ ନଥିବାବେଳେ କାମରେ ଚାପ ଯୋଗୁ ସେ ପଳାଇଥିବା ସନ୍ଦେହ କରାଯାଉଛି ।

ପରିବାର ଲୋକଙ୍କ ଉପସ୍ଥିତିରେ ବୈଦେଶ୍ବର ଥାନା ପୋଲିସକୁ ତପନଙ୍କୁ ହସ୍ତାନ୍ତର କରାଯାଇଛି । ବୈଦେଶ୍ବର ଥାନା ପୋଲିସ ପରିବାର ଲୋକଙ୍କ ସହିତ ତପନଙ୍କୁ ନେଇ ଥାନାକୁ ଆସୁଛି । ନିଖୋଜ ହେବା ପଛର ସତ ଜାଣିବାକୁ ତପନଙ୍କୁ ପଚରାଉଚରା କରାଯିବ । ସ୍ବାମୀଙ୍କୁ ଠାବ କରାଯିବା ପରେ ଖୁସି ପ୍ରକାଶ କରିଛନ୍ତି ସ୍ତ୍ରୀ । ଗତ ସୋମବାରଠୁ ନିଖୋଜ ଥିଲେ ତପନ ।

ଗତ ସୋମବାର ଶ୍ବଶୁର ଘର ବ୍ରହ୍ମପୁରାରୁ ବାଇକ ଯୋଗେ ବଡମ୍ବା ଫେରୁଥିଲେ । ବଡମ୍ବାରେ ପହଞ୍ଚିବାକୁ ବିଳମ୍ବ ହେବାରୁ କଳାପଥର କାନାରା ବ୍ୟାଙ୍କରେ ବଡମ୍ବା କାନାରା ବ୍ୟାଙ୍କ ଲଗ ଇନ କରି ୯ଟା୪୫ରେ ବାହାରି ଯାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ଫୋନ ସୁଇଚ ଅଫ ଦେଖାଇବା ସହିତ କୌଣସି ପତ୍ତା ମିଳିନଥିଲା। ବୈଦେଶ୍ବର ଥାନା ନାଟେରୀ ଛକ ନିକଟରେ ତପନଙ୍କ ଫୋନ୍ ସୁଇଚ ଅପ ହୋଇଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ସେହିପରି ପତନି ଛକରେ ସିସିଟିଭିରେ ଫୁଟେଜରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ତେବେ ବାସ୍ତବରେ ତିନିଦିନ ହେଲା କୁଆଡ଼େ ଯାଇଥିଲେ ସେନେଇ ଅନୁଧ୍ୟାନ କରାଯାଉଛି ।