ରୁଚିକାକୁ ନ୍ୟାୟ ଦାବିରେ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା

କଟକ: ମେଧାବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ତାଙ୍କ ଜନ୍ମମାଟି କଖଡିରେ କ୍ୟାଣ୍ଡେଲ ଶୋଭାଯାତ୍ରା । ରୁଚିକା ସହ ପଢୁଥିବା ଛାତ୍ରଛାତ୍ରୀମାନେ ନିଜ ସାଙ୍ଗକୁ ଉଚିତ ନ୍ୟାୟ ମିଳିବା ସହ ତାର ଅମର ଆତ୍ମାର ସଦ୍ଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ସେହିଭଳି ସେହି କଖଡି ଗ୍ରାମର ଯୁବକମାନେ ମଧ୍ୟ ରୁଚିକାଙ୍କୁ ନ୍ୟାୟ ପାଇଁ କ୍ୟାଣ୍ଡେଲ ରାଲି କରିବା ସହ ସାରା ଓଡିଶାର ଛାତ୍ରଛାତ୍ରୀମାନେ ରୁଚିକାଙ୍କୁ ନ୍ୟାୟ ପାଇଁ ନିଜର ସ୍ବର ଉଠାଇବା ପାଇଁ ଅନୁରୋଧ କରିଛନ୍ତି ।

ସେପଟେ ହଷ୍ଟେଲ ସୁପରିଟେଣ୍ଡେଟ, ଓ୍ବାର୍ଡେନ, ଆସିଷ୍ଟାଣ୍ଟ ଓ୍ବାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲର ମୋଟ୍ ୧୩୪ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରିବ ପୋଲିସ୍ । ଧାରା ୧୬୧ରେ ରୁମମେଟ ଏବଂ ଓ୍ବାଡେନଙ୍କ ବୟାନ ରେକର୍ଡ କରିଛି ପୋଲିସ୍ ।  ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠା ଯାଇଛି ରୁଚିକାଙ୍କ ସୁଇସାଇଡ ନୋଟ୍ । ଆତ୍ମହତ୍ୟାର ପୂର୍ବ ରାତିରେ ପ୍ରାୟ ୨ଟା ଯାଏ ରୁମମେଟଙ୍କ ସହିତ ମିଶି ପାଠ ପଢିଥିଲେ ରୁଚିକା । ଶୋଇବା ପୂର୍ବରୁ ରୁମ୍ମେଟକୁ କହିଥିଲେ, ସେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଚାହୁଁଛନ୍ତି । ହେଲେ କିଛି ନକହି ଶୋଇ ପଡିଥିଲେ।