ଅଭିନେତ୍ରୀଙ୍କ ଫଟୋ ଦେଇ STET ପରୀକ୍ଷା ପାସ୍, ଫଳାଫଳ ଭାଇରାଲ ପରେ ହେଲା କାର୍ଯ୍ୟାନୁଷ୍ଠାନ

1 min read

ବିହାର: STET ପରୀକ୍ଷାରେ ଜଣେ ପ୍ରାର୍ଥୀଙ୍କ ଅବହେଳା ତାଙ୍କୁ ଅଡ଼ୁଆରେ ପକାଇଛି । STET ୨୦୧୯ ପରୀକ୍ଷା ପାଇଁ ଦେଇଥିବା ଫର୍ମରେ ଋଷିକେଶ କୁମାର ନାମକ ଜଣେ ଛାତ୍ର ସାଉଥ୍ ଅଭିନେତ୍ରୀ ଅନୁପମା ପରମେଶ୍ୱରମଙ୍କ ଫଟୋ ଲଗାଇଥିଲେ । ଋଷିକେଶ ପରୀକ୍ଷା ଦେବା ପରେ ପାସ୍ କରିଛନ୍ତି ଏବଂ ଅଭିନେତ୍ରୀଙ୍କ ଫଟୋ ତାଙ୍କ ମାର୍କସିଟରେ ରହିଛି ।

ଏହି ମାମଲାରେ ବିହାର ବୋର୍ଡ (BSEB) ଋଷିକେଶ କୁମାରଙ୍କୁ ଅଭିନେତ୍ରୀଙ୍କ ଫଟୋ ଲଗାଇବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ପ୍ରାର୍ଥୀଙ୍କ ଆବେଦନ ମଧ୍ୟ ବାତିଲ କରାଯାଇଛି। STET ୨୦୧୯ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ନିଜେ ପରୀକ୍ଷା ଫର୍ମ ପୂରଣ କରିଥିଲେ ।

ବିହାର ଜହାନାବାଦ ଜିଲ୍ଲାର ଜଣେ ପ୍ରାର୍ଥୀ ଋଷିକେଶ କୁମାର ତାଙ୍କ ପରୀକ୍ଷା ଫର୍ମରେ ନିଜ ଫଟୋ ବଦଳରେ  ଅଭିନେତ୍ରୀଙ୍କ ଫଟୋ ଅପଲୋଡ୍ କରିଛନ୍ତି। ଭୁଲକୁ ସୁଧାରିବା ପାଇଁ BSEB ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଥିଲା। ଏହା ସତ୍ତ୍ୱେ ଋଷିକେଶ କୁମାରଙ୍କ ଫଟୋରେ କୌଣସି ପରିବର୍ତ୍ତନ ହୋଇନଥିଲା । ପରୀକ୍ଷା ଦେବା ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଫଟୋ ସେହି ଫର୍ମରେ ଥିଲା । ଏବଂ ବିଶେଷ କଥା ହେଉଛି ଯେ, ସୋସିଆଲ ମିଡିଆରେ ନିଜ ଫଟୋ ବଦଳରେ ଅନ୍ୟ କାହା ଫଟୋ ଅପଲୋଡ୍ କଲା ଭଳି ପ୍ରାର୍ଥୀ ଜଣକ ଫେକ୍ ଫଟୋ ଦେଇ ପରୀକ୍ଷା ମଧ୍ୟ ଦେଇଛନ୍ତି ।

ଋଷିକେଶ କୁମାରଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ରହିଥିଲା । ଏବଂ ଏହି ଆଡମିଟ୍ କାର୍ଡ ନେଇ ସେ ପରୀକ୍ଷା ମଧ୍ୟ ଦେଇଥିଲେ। ବୋର୍ଡର କହିବା ଅନୁସାରେ ପରୀକ୍ଷା ସମୟରେ ଫଟୋ ତ୍ରୁଟି ହେତୁ କୌଣସି ପ୍ରାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ଅନୁଚିତ୍ । ଏଥିପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଆଧାରରେ ପରୀକ୍ଷା ହଲରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଥିଲା।

ଏହି ପରୀକ୍ଷାରେ ଋଷିକେଶ କୁମାର ମଧ୍ୟ ପାସ୍ କରିଛନ୍ତି । ତଥାପି ସେ ଫଟୋ ବଦଳାଇ ନଥିଲେ। ବର୍ତ୍ତମାନ ମାର୍କସିଟର ଫଟୋ ଭାଇରାଲ ହେବା ପରେ ବିହାର ବୋର୍ଡ ଏହି ମାମଲା ନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି । ଏହା ସହିତ ଋଷିକେଶଙ୍କୁ ନୋଟିସ୍ ଜାରି କରାଯାଇଛି । କେବଳ ସେତିକି ନୁହେଁ ପରୀକ୍ଷାରେ ପାସ୍ ହେବା ପରେ ତାଙ୍କ ଫଳାଫଳକୁ ରଦ୍ଦ କରାଯାଇଛି। ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ବୋର୍ଡ କହିଛି।

Leave a Reply