ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଥାନାରେ ମାମଲା, ଜାଣିଆଣ ଅଭିଯୋଗ କଲେ କର୍ମୀ

ଟିଟିଲାଗଡ: ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ନାମରେ ଥାନାରେ ମାମଲା । ଜାତିଗତ ଆକ୍ଷେପ ଏବଂ ଗାଳିଗୁଲଜ କରିଥିବା ଅଭିଯୋଗରେ ଥାନରେ ଏତଲା ଦେଲେ ବିଜେପି କର୍ମୀ ଚୂଡାମଣି ଭରାସାଗର ଓ ସହଯୋଗୀ । ବିରାଟ ପଟୁଆ ବିଜେପି ପ୍ରାର୍ଥୀ ନବୀନ ଜୈନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ଅବସରରେ ସହରରେ ଏକ ଶୋଭାଯାତ୍ରା ହୋଇଥିଲା ।

ଏହି ଶୋଭାଯାତ୍ରାରେ ଭାଗ ନେବାକୁ ତାଙ୍କ ସମର୍ଥକଙ୍କୁ ଟଙ୍କା ଦେଇ ଡକାଇଥିଲେ । କିଛି ସମର୍ଥକଙ୍କୁ ନେଇ ଚୂଡାମଣି ଟିଟିଲାଗଡ ଆସିଥିଲେ । ପୂର୍ବରୁ ନବୀନ ଜୈନ ଖର୍ଚ୍ଚ ବାବଦରେ ଯେତେ ଟଙ୍କା ଦେଇଥିଲେ ତାହା କମ ପଡିଥିଲା । ପରେ ବାକି ଟଙ୍କା ମାଗିବାକୁ ନବୀନ ଜୈନଙ୍କ ଘରକୁ ଚୂଡାମଣି ଓ ତାଙ୍କ ସହଯୋଗୀ ଯାଇଥିଲେ । ହେଲେ ଚୂଡାମଣି ଓ ସହଯୋଗୀ ଅନୁସୂଚିତ ଜାତିର ହୋଇଥିବାରୁ ଘର ଭିତରକୁ କାହିଁକି ପଶି ଆସିଲ ବୋଲି କହି ଗାଳି ଗୁଲଜ କରିବା ସହିତ ବାହାରକୁ ବାହାର କରିଦେଇଥିଲା ଅଭିଯୋଗ କରିଛନ୍ତି ଚୂଡାମଣି ।

ନବୀନ ଜୈନ ଓ ତାଙ୍କ ପୁଅ ଜାତିକୁ ଆକ୍ଷେପ କରି ଅନେକ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଆଜି ଉଭୟେ ଟିଟିଲାଗଡ ଥାନାରେ ଏଫଆଇଆର ଦେଇଛନ୍ତି । ଉଭୟ ବାପା ପୁଅଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ସେପଟେ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ପତ୍ନୀ ମମତା ଦେବୀ ଜୈନ ଆଣିଛନ୍ତି ପାଲଟା ଅଭିଯୋଗ । ଏଫଆଇଆର ଦେଇଥିବା ଦୁଇ ବିଜେପି କର୍ମୀଙ୍କ ବିରୋଧରେ ଦେଇଛନ୍ତି ଏତଲା ।