ଲାଞ୍ଚ ଟଙ୍କାରେ ବନିଥିଲେ କଳାଧନର ସୌଦାଗର ; ସବୁ ଭଣ୍ଡୁର କରିଦେଲା ଭିଜିଲାନ୍ସ

ରିଟାୟାରମେଣ୍ଟ ପୂର୍ବରୁ ରିଟାୟର୍ଡ ହର୍ଟ ହେଲେ ବାବୁ । ଲାଞ୍ଚ ଟଙ୍କାରେ ବନିଥିଲେ କଳାଧନର ସୌଦାଗର । ଅବସର ପରେ ଅଏସ ପ୍ଲାନରେ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଭଣ୍ଡୁର କରିଦେଲା ଭିଜିଲାନ୍ସ । ଏ ଫଟୋ ଆପଣଙ୍କୁ ଅଜବ ଲାଗୁଥିବ । ଏହା କୌଣସି ଫିଲ୍ମର ସିନ ନୁହେଁ, ବରଂ ରିଅଲ ଲାଇଫରେ ଜଣେ ଦୁର୍ନୀତି ଗସ୍ତ ବାବୁଙ୍କ ଘରୁ ମିଳିଥିବା ଏ ହେଉଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ପଡିବା ପରେ ଅମାପ ଧନ ଦେଖି ତାଜୁବ ଭିଜିଲାନ୍ସ ଟିମ୍ ।

ଚଢ଼ାଉରେ ତାଙ୍କ ଘରୁ ନଗଦ ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଏହାସହିତ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍ ୭ଟି ଦାମୀ ପ୍ଲଟ, ଦେଢ଼ କୋଟି ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ ରହିଛି । ଏହା ସହିତ ସେୟାର ମାର୍କେଟରେ ୨କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ତେବେ ଟଙ୍କା ଗଣି ଗଣି ମେସିନ ମଧ୍ୟ ହ୍ୟାଙ୍ଗ ହୋଇ ଯାଉଛି ।

ଅନୁଗୁଳ କରଡ଼ାଗଡ଼ିଆରୁ ଦୁଇ ମହଲା କୋଠା ଓ ମାଟିଆସିହରୁ ଏକ ଦୁଇ ମହଲା କୋଠା ଠାବ ହୋଇଛି । ସେହିପରି ଭୁବନେଶ୍ଵର ଡୁମୁଡୁମାରେ ଫ୍ଲାଟ, ପୁରୀ ଜିଲ୍ଲା ପିପିଲିରେ ଏକ ଫ୍ଲାଟ ଠାବ ହୋଇଛି । ଏହା ସହିତ ଭୁବନେଶ୍ଵର ଓ ଅନୁଗୁଳର ବିଭିନ୍ନ ସ୍ଥାନରୁ ୭ଟି ଦାମୀ ପ୍ଲଟ ଠାବ ହୋଇଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନ ସମେତ ଭୁବନେଶ୍ଵର ଓ ପିପିଲିକୁ ମିଶାଇ ମୋଟ ୭ଟି ଜାଗାରେ ଚାଲିଥିଲା ରେଡ୍। ଭିଜିଲାନସ ଟିମ୍ ଦେଖି ଭୁବନେଶ୍ଵର ଘରୁ ସେ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲେ । ଏ ହେଉଛି ଟଙ୍କା ଫୋପାଡିବା ବେଳର ଫଟୋ।

ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀ ଓ ନାମୀ ଦାମୀ ବ୍ରାଣ୍ଡର ହାତଘଣ୍ଟା ବି ଅଛି। ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି । ଅବସରକୁ ଆଉ ମାତ୍ର ଦିନଟିଏ ବାକି ଥିବା ହେଲେ ଧରାପଡ଼ିଥିବା ଏହି ମୁଖ୍ୟ ଯନ୍ତ୍ରୀଙ୍କୁ କାବୁ କରି ତନାଘନା ଚଳାଇଛି ଭିଜିଲାନ୍ସ । ଦୁର୍ନୀତିଖୋର ଓ ଲାଞ୍ଚଖୋରଙ୍କ ଉପରେ ସଦାସର୍ବଦା ଭିଜିଲାନ୍ସର ନଜର ରହିଛି । ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି । ଏତେ ସବୁ ପରେ ପରେ ଜଣଙ୍କ ପରେ ଜଣେ ଧରାହେବା, ଓ ତାଙ୍କ ଠାରୁ ଅମାପ ସମ୍ପତ୍ତି ମିଳିବା ଘଟଣା ଚିନ୍ତା ବଢ଼ାଇଛି ।