କାରରୁ ଟଙ୍କା ମିଳିବା ମାମଲା: ଝାଡ଼ଖଣ୍ଡ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ହାଓ୍ବାଡାରୁ ୩ କଂଗ୍ରେସ ବିଧାୟକଙ୍କ ନିକଟରୁ ୪୮ ଲକ୍ଷ ଟଙ୍କା ଜବତ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଟଙ୍କା ମାମଲାରେ ୩ କଂଗ୍ରେସ ବିଧାୟକ, ଡ୍ରାଇଭର ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଏହି ୩ ବିଧାୟକଙ୍କୁ କଂଗ୍ରେସ ସସପେଣ୍ଡ କରିଥିବାବେଳେ ସରକାରକୁ ଗାଦିଚ୍ୟୁତ କରିବା ଲାଗି ଯୋଜନା ହେଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଓ ଜେଏମଏମ । ତେଣେ ବିଧାୟକ କହିଛନ୍ତି ଆଦିବାସୀଙ୍କୁ ଗିଫ୍ଟ ଦେବା ଲାଗି ନିଆଯାଉଥିଲା ଟଙ୍କା ।

ଝାଡ଼ଖଣ୍ଡରେ ଅପରେସନ ଲୋଟସ ଚାଲିଥିବା ନେଇ ଚର୍ଚ୍ଚା । ମହାରାଷ୍ଟ୍ର ଏପିସୋଡ ରିପିଟ ହୋଇପାରେ ବୋଲି କୁହାଯାଉଛି । ରାଜ୍ୟର ୩ କଂଗ୍ରେସ ବିଧାୟକଙ୍କ ଗାଡ଼ିରୁ ପଶ୍ଚିମବଙ୍ଗ ହାଓ୍ବଡ଼ାରେ ପ୍ରାୟ ୪୮ ଲକ୍ଷ ଟଙ୍କା ଜବତ ହେବାକୁ ନେଇ ସସପେନସ । କିଏ ଦେଇଥିଲା ଟଙ୍କା? ନିର୍ବାଚିତ ସରକାରକୁ ଭାଙ୍ଗିବା ଲାଗି ନା ଅନ୍ୟ କେଉଁ କାରଣ ? ଜାମତାରା ବିଧାୟକ ଇରଫାନ ଅନସାରୀ, ଖିଜ୍ରି ବିଧାୟକ ରାଜେଶ କଚ୍ଛପ ଓ କୋଲେବିରା ବିଧାୟକ ନମନ ବିକ୍ସାଲ କୋଙ୍ଗାରିଙ୍କ ଗାଡ଼ିରୁ ଗତକାଲି ହାଓ୍ବାଡ଼ା ରୁରାଲ ପୋଲିସ ଟଙ୍କା ଜବତ କରିବା ପରେ ବଢିଛି ରାଜନୀତି । ଜାତୀୟ ରାଜପଥ ୧୬ରେ ରାଣୀହାତୀ ନିକଟରେ ସର୍ଚ୍ଚ ଅପରେସନ ବେଳେ ଧରାପଡ଼ିଥିଲେ ବିଧାୟକ ।

ସେପଟେ ଅଭିଯୁକ୍ତ ୩ ବିଧାୟକଙ୍କୁ ସସପେଣ୍ଡ କରିଛି କଂଗ୍ରେସ । ସେପଟେ ଅଭିଯୋଗକୁ ଅଭିଯୁକ୍ତ ବିଧାୟକ କରିଛନ୍ତି ଖଣ୍ଡନ । ଆଦିବାସୀଙ୍କୁ ଗିଫ୍ଟ ଦେବା ଲାଗି ଏହି ଟଙ୍କା ଉଦ୍ଦିଷ୍ଟ ଥିଲା ଏବଂ ଏହି ଅର୍ଥରେ ଶାଢ଼ୀ କିଣାଯାଇଥାନ୍ତା ବୋଲି କହିଛନ୍ତି ବିଧାୟକ । ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିଛି ଜେଏମଏମ । କଂଗ୍ରେସ ନେତା ଜୟରାମ ରମେଶ ବି ବିଜେପିକୁ କରିଛନ୍ତି ଟାର୍ଗେଟ । ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମର ୩୦ ବିଧାୟକ ଥିବାବେଳେ କଂଗ୍ରେସର ଅଛନ୍ତି ୧୮ । ସହଯୋଗୀ ଦଳ ଭାବେ ରହିଛନ୍ତି ଆରଜେଡି ଓ ଏନସିପି, ସିପିଆଇଏମଏଲ । ବିଜେପି ମେଣ୍ଟରେ ରହିଛନ୍ତି ୩୦ ବିଧାୟକ ।