ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ବିଜେପି ସଭାପତିଙ୍କ ବିଚିତ୍ର ଘୋଷଣା । ଭୁଲିଗଲେ ସବୁ ନୀତିନିୟମ । ଖୋଲାଖୋଲି ଭାବେ ମଦର ପ୍ରସାର ନିମନ୍ତେ ଜଣାଇଛନ୍ତି ଆହ୍ୱାନ । ରାଜ୍ୟ ସଭାପତି ସୋମୁ ବୀରାଜୁ କହିଛନ୍ତି- ଯଦି ତାଙ୍କ ଦଳ ଆସନ୍ତା ନିର୍ବାଚନରେ ୧ କୋଟି ଭୋଟ ପାଇବ ତେବେ ରାଜ୍ୟରେ ୭୦ଟଙ୍କାରେ ମଦ ଯୋଗାଇଦେବ । ଏହା ବି କହିଛନ୍ତି- ଯଦି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରେ ତେବେ ଏହି ଦର ଆହୁରି କମା ଯାଇ ୫୦ ଟଙ୍କା କରିଦିଆଯିବ । ବିଜୟଓ୍ୱାଡ଼ାରେ ଆୟୋଜିତ ଏକ ସାଧାରଣ ସଭାରେ ବୀରାଜୁ ଏହି ଘୋଷଣା କରିଛନ୍ତି ।
ମଦ ଯୋଗୁ ଅନେକ ଧନଜୀବନ ଯାଉଥିବା ସହ ପାରିବାରିକ ଅଶାନ୍ତି ଲାଗି ରହୁଥିବାବେଳେ ଏକ ଜାତୀୟ ଦଳର ନେତାଙ୍କ ଏହି ବିବୃତି ପ୍ରଶ୍ନ ସୃଷ୍ଟି କରିଛି । ସେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଅଧିକ ମୂଲ୍ୟରେ ନିକୃଷ୍ଟ ମାନର ମଦ ଲୋକଙ୍କୁ ବିକ୍ରି କରୁଛନ୍ତି । ରାଜ୍ୟରେ ବର୍ତ୍ତମାନ ୧ କୋଟି ଲୋକ ଅଧିକ ମୂଲ୍ୟ ଦେଇ ମଦ କିଣି କ୍ଷତିରେ ପଡୁଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କ ଦଳ ଯଦି ୧ କୋଟି ଭୋଟ ପାଏ ତେବେ ରାଜ୍ୟରେ ଶସ୍ତାରେ ମଦ ଯୋଗାଇଦିଆଯିବ । ବୀରାଜୁ ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ରହିବା ସହ ଏମଏଲସିର ସଦସ୍ୟ ରହିଛନ୍ତି । ସାମ୍ବିଧାନିକ ପଦବିରେ ଥାଇ ବୀରାଜୁଙ୍କ ବୟାନ ବିବାଦ ସୃଷ୍ଟି କରିଛି ।

