ରାଉରକେଲା ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ, ଚାଲିଛି କାରଣ ଖୋଜା

ରାଉରକେଲା: ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗାନ୍ଧି ରୋଡ ଅଞ୍ଚଳର ତୁଲ କିଷାନ । ଏହାକୁ ମିଶାଇ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ଏଥିସହ ୧୧୧ ଜଣଙ୍କର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅଧିକାଂଶ ଆକ୍ରାନ୍ତ ସୁସ୍ଥ ହେଉଥିବା ଜଣାପଡିଛି ।

ଏପଟେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଚାଲିଛି କାରଣ ଖୋଜା । ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜର ୪ ଜଣିଆ ଡାକ୍ତରୀ ଦଳ ଆରଜିଏଚରେ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ରାଉରକେଲାରେ ପହଞ୍ଚିଛନ୍ତି । ରାଉରକେଲାରେ ସ୍ଥିତି ଅନୁଧ୍ୟାନ ପାଇଁ ଡକ୍ଟର ଅଶୋକ ପାଇକରାୟଙ୍କ ନେତୃତ୍ୱରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଆସିଛନ୍ତି ।

ଆରଏମସି ସ୍ଵାସ୍ଥ୍ୟ ବିଭାଗ ଓ ସହରର ଜଳ ଯୋଗାଣ ବିଭାଗ ପକ୍ଷରୁ ହୋଇଥିବା ପାନୀୟ ଜଳ ପରୀକ୍ଷାରେ କୌଣସି ସଂକ୍ରମଣ ନଥିବା ଜଣାପଡ଼ିଛି । ପାନୀୟ ଜଳ ପିଇ ଝାଡାବାନ୍ତି ହୋଇ ନଥିବା ପାନୀୟ ଜଳ ଟେଷ୍ଟ ରିପୋର୍ଟରୁ ଜଣାପଡିଛି । ଝାଡାବାନ୍ତି ବଢିବାର କାରଣ ସମ୍ପର୍କରେ ଆରଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।