ମାର୍କ ପାଇଁ ମହା ଡିଲ୍: ‘ଆମ ସ୍କୁଲରେ ପାଠ ପଢିଲେ ଟପ୍ପର ହେବ ତୁମ ପୁଅ’

ଭୁବନେଶ୍ୱର:  ସିବିଏସଇ ଦଶମ ମାର୍କ ପାଇଁ ହେଉଛି ଡିଲ୍  ।  ଟଙ୍କା ଦେଲେ ବଢିବ ପିଲାର ମାର୍କ  । କୋଭିଡ ଲକଡାଉନ୍‌ରେ ଶିକ୍ଷାର ବେପାର କରୁଛି ପଟିଆ ସ୍ଥିତ ଏକ ଘରୋଇ ସ୍କୁଲ । ଦଲାଲ ସାଜି କରୁଛନ୍ତି ପିଲାଙ୍କ ନମ୍ବର ଘୋଟାଲା । ସଂକ୍ରମଣ ଭୟରେ ଦଶମ ପରୀକ୍ଷା ନହେବାରୁ ବଡ଼ ବଡ଼ ସ୍କୁଲ ନମ୍ବର ବଢେଇବା ପାଇଁ ଆରମ୍ଭ କରିଛନ୍ତି ଡିଲ୍‌ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପଟିଆ ସ୍ଥିତ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲରେ ଏକାଦଶରେ ନାମ ନ ଲେଖାଇବାରୁ ପିଲାଙ୍କୁ କମ୍ ମାର୍କ ଦେଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ପଟିଆ ସ୍ଥିତ ଘରୋଇ ସ୍କୁଲର ମାଲିକ ବଦ୍ରି ପଟ୍ଟନାୟକଙ୍କ ନାଁରେ ଅଭିଯୋଗ ଆଣି ସିବିଏସ୍ଇର ଦ୍ବାରସ୍ଥ ହୋଇଛନ୍ତି ଶହେରୁ ଅଧିକ ଅଭିଭାବକ ।

ପିଲା ଯଦି ତାଙ୍କ ସ୍କୁଲରେ ଏକାଦଶରେ ନାମ ଲେଖାଇବ ତେବେ ସେ ଓଡ଼ିଶାର ଟପର ହୋଇଯିବ ବୋଲି ବଦ୍ରି ପଟ୍ଟନାୟକ ଜଣେ ଅଭିଭାବକଙ୍କୁ କହିଛନ୍ତି । ଯାହାର ଅଡିଓ ଭାଇରାଲ ହେବାରେ ଲାଗିଛି । ଅଭିଭାବକ ବିଭୁଙ୍କ ପୁଅ ତୁରନ୍ତ ଏକାଦଶରେ ନାମ ଲେଖାଇବାକୁ ବଦ୍ରି ପଟ୍ଟନାୟକ ବାଧ୍ୟ କରୁଛନ୍ତି । ଆଡମିସନ୍ ଫିସ କମ୍ କରିବା ପାଇଁ ମଧ୍ୟ ପ୍ରଲଭୋନ ଦେଖାଇଛନ୍ତି । ଏହାସହ ପିଲା ଦଶମ ଶ୍ରେଣୀ ଟେଷ୍ଟ ପରୀକ୍ଷାରେ ଯଦି ଭଲ କରିନାହିଁ ଏକାଦଶରେ ନାମ ଲେଖାଇଲେ ତାର ମାର୍କ ୯୮ ପ୍ରତିଶତରୁ ଅଧିକ କରିଦିଆଯିବ । ଏପରିକି ପିଲା ନିଜେ ଘରେ ଭଲ ରୋଲିଂ ପେପର ଆଣି ପୂର୍ବରୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ଶତ ପ୍ରତିଶତ ଉତ୍ତର ଦେବାକୁ ବଦ୍ରି କହୁଥିବା ଅଡିଓରୁ ଶୁଣିବାକୁ ମିଳୁଛି ।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଦଶମରେ ମାର୍କ ବଢାଇବା ପାଇଁ ସମ୍ପୃକ୍ତ ସ୍କୁଲରେ କିପରି ମୁଲଚାଲ କରୁଥିଲା । ତାଙ୍କରି ସ୍କୁଲରେ ଯେଉଁ ଛାତ୍ର ଏକାଦଶ ପଢିବେ ତାଙ୍କ ମାର୍କ ଭଲ କରାଯାଇଥିବା ବେଳେ ଅନ୍ୟ ସ୍କୁଲରେ ଏକାଦଶ ପଢିବା ପାଇଁ ମନସ୍ତ କଲେ ତାଙ୍କ ମାର୍କ କମେଇ ଦିଆଯାଇଛି । ଶିକ୍ଷା ବେପାରର ଏହି କଳାଦିଗଟି ଏବେ ସାମ୍ନାକୁ ଆସିଛି । ଯଦିଓ ଅଭିଭାବକ ମାନେ ଏନେଇ ଥାନା ବା କୋର୍ଟରେ ଆଶ୍ରୟ ନେଇନାହାନ୍ତି । ତେବେ ଆଜି ଶତାଧିକ ଅଭିଭାବକ ସମ୍ପୃକ୍ତ ସ୍କୁଲକୁ ଯାଇ ଅଭିଯୋଗ କରିଛନ୍ତି ।

Leave a Reply