ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ, କଂଗ୍ରେସ ମୁଖ୍ୟାଳୟ ବାହାରେ ସେଲିବ୍ରେସନ

ନୂଆଦିଲ୍ଲୀ: ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ । ଫେରିଲା ସାଂସଦ ପଦ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା କାଏମ ନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇ ବର୍ଷ ଜେଲ ଦଣ୍ଡ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବା ପରେ ପୁଣି ଥରେ ଲୋକସଭା ସାଂସଦ ପଦ ଫେରିପାଇଛନ୍ତି ରାହୁଲ । ଦିଲ୍ଲୀ ସ୍ଥିତ କଂଗ୍ରେସ ହେଡକ୍ବାର୍ଟର ବାହାରେ ସମର୍ଥକ ବାଜା ବଜାଇ ସେଲିବ୍ରେସନ କରିଥିବା ବେଳେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି କଂଗ୍ରେସ ନେତା ।

ଆଜି ଗୃହ କାର୍ଯ୍ୟରେ ସାମିଲ ହୋଇପାରନ୍ତି ରାହୁଲ ଗାନ୍ଧୀ । ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ ଗୁଜରାଟ ସେସନ୍ସ କୋର୍ଟ । ମାର୍ଚ୍ଚ ୨୩ ତାରିଖରେ ରାୟ ଆସିବା ବରେ ମାର୍ଚ୍ଚ ୨୪ ତାରିଖରେ ରାହୁଲଙ୍କ ସାଂସଦ ପଦ ରଦ୍ଦ କରିଦେଇଥିଲେ ବାଚସ୍ପତି ।

ହାଇକୋର୍ଟ ମଧ୍ୟ ରାୟକୁ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କଂଗ୍ରେସ ନେତା । ଗତ ୪ ତାରିଖରେ ପିଟିସନର ଶୁଣାଣି କରି ଦୁଇ ବର୍ଷ ଜେଲ ଦଣ୍ଡ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।