ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ପାର୍ଟି ଭିଡିଓ ଭାଇରାଲ, ୪ ବରିଷ୍ଠ ଅଧିକାରୀ ନିଲମ୍ବିତ

1 min read

ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏକ ପାର୍ଟିର ଭିଡିଓ ହେଉଛି ଭାଇରାଲ । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ଅଫିସର ୪ ଜଣ ବରିଷ୍ଠ ଅଧିକାରୀଙ୍କ ଚାକିରିରୁ ବହିଷ୍କାର କରାଯାଇଛି । ଆଉ ଏହି ଅଫିସ ଖୋଦ ଏୟାର ଇଣ୍ଡିଆ ସହ ଜଡ଼ିତ । ଏତେ ବଡ଼ ଦୁର୍ଘଟଣାରେ ସାରା ବିଶ୍ବ ସ୍ତବ୍ଧ ଓ ମର୍ମାହତ ହୋଇ ଯାଇଥିବା ବେଳେ ଉକ୍ତ ଅଫିସର କର୍ମଚାରୀ ଦୁର୍ଘଟଣାର କିଛିଦିନ ପରେ ପାର୍ଟି କରୁଥିବା ଓ ନାଚିବା ଭିଡିଓ ଭାଇରାଲ ହୋଇଥିଲା ।

ଏୟୋପୋର୍ଟ ସର୍ଭିସ ମ୍ୟାନେଜମେଣ୍ଟ ଫର୍ମ ଏୟାର ଇଣ୍ଡିଆ ସେଟ୍ସ ସର୍ଭିସେଜ (AISATS) ଏମିତି ଭିଡିଓ ପାଇଁ ଦୁଃଖ ପ୍ରକାଶ କରିଛି । ଏହାସହ ଘଟଣାକୁ ଗମ୍ଭୀରତାର ସହ ନେଇ କମ୍ପାନୀର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଦେଇଛି ।

AISATS, ଏୟାର ଇଣ୍ଡିଆ ଓ ସିଙ୍ଗାପୁରର SATS ଲିମିଟେଡର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଜଏଣ୍ଟ ଭେଞ୍ଚର କମ୍ପାନୀ । ନିକଟରେ ଏହାର କର୍ମଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଅଫିସ ଭିତରେ ନାଚ, ଗୀତର ଆସର ଜମିଥିଲା । ଏହି ଭିଡିଓଟି ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରର ବୋଲି କୁହାଯାଉଛି । ତେବେ ଭିଡିଓଟି କେବେ ର କମ୍ପାନୀ ସ୍ପଷ୍ଟ କରିନାହିଁ ।

ଶୁକ୍ରବାର AISATS ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହ କୁହାଯାଇଛି, ଆମେ AI 171 ଦୁର୍ଘଟଣାରେ ଜୀବନ ହାରିଥିବା ସମସ୍ତ ଲୋକଙ୍କ ପରିବାର ସହ ଛିଡ଼ା ହୋଇଛୁ । ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛୁ । ଏମିତି ଭିଡିଓ ପାଇଁ କମ୍ପାନୀ ଦୁଃଖ ପ୍ରକାଶ କରୁଛି । ଏପରି ଆଚରଣ ଆମ ମୂଲ୍ୟବୋଧ ନୁହେଁ । ଏଥିପାଇଁ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଫିସ ପାର୍ଟି ଆୟୋଜନରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ତତ୍କାଳ ଚାକିରିରୁ ବହିଷ୍କାର କରି ଦିଆଯାଇଛି ।

ସୂଚନାଯୋଗ୍ୟ, ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ୨୭୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ୨୪୧ ଜଣ ବିମାନ ଯାତ୍ରୀ ଥିଲେ । ବିମାନଟି ଲଣ୍ଡନ ଯିବାକୁ ଟେକ ଅପ୍ କରିବାର କିଛି ସମୟ ପରେ ଏକ ମେଡିକାଲର ହଷ୍ଟେଲ ଉପରେ ପଡ଼ି ବିସ୍ଫୋରଣ ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ଜୀବିତ ରହିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀଙ୍କ ସମେତ ବିମାନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା ।