ଡ୍ରିଙ୍କ୍ ଫ୍ରମ୍ ଟ୍ୟାପକୁ ଅନୁସରଣ ଲାଗି ଅନ୍ୟ ରାଜ୍ୟକୁ କେନ୍ଦ୍ରର ପରାମର୍ଶ, ଓଡ଼ିଶା ଆସି ସମୀକ୍ଷା କଲେ କର୍ଣ୍ଣାଟକ ଅଧିକାରୀ

ଭୁବନେଶ୍ୱର: ଦେଶର ମଡେଲ ଓଡ଼ିଶାର ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ । ଓଡ଼ିଶାକୁ ଅନୁସରଣ ଲାଗି ଅନ୍ୟ ରାଜ୍ୟକୁ କେନ୍ଦ୍ରର ପରାମର୍ଶ । ଓଡ଼ିଶା ଆସି ଟ୍ୟାପରୁ ପାଣି ପିଇଲେ କର୍ଣ୍ଣାଟକ ଅଧିକାରୀ । ରାଜ୍ୟ ସରକାର ଆରମ୍ଭ କରିଥିବା ୨୪ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ପାନୀୟ ଜଳ ଯୋଜନା ଏବେ ଦେଶ ପାଇଁ ମଡେଲ୍ ସାଜିଛି । ଓଡ଼ିଶାର ବିଭିନ୍ନ ପୌରାଞ୍ଚଳରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଜଳକୁ ବିଶୁଦ୍ଧ କରାଯାଇ ଯୋଗାଇ ଦିଆଯାଉଛି । ଲୋକମାନେ ଏହାକୁ ସିଧାସଳଖ ଟ୍ୟାପରୁ ପାଣି ନେଇ ପିଇ ପାରୁଛନ୍ତି ।

ରାଜ୍ୟରେ ଚାଲୁ ରହିଥିବା ଏହି ଯୋଜନାକୁ ଅନ୍ୟ ରାଜ୍ୟଗୁଡ଼ିକ କେମିତି ଲାଗୁ କରିପାରିବେ ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଏହି ମଡେଲକୁ ଗ୍ରହଣ କରି ନିଜ ନିଜ ରାଜ୍ୟବାସୀଙ୍କୁ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । କମ୍ ଦିନ ମଧ୍ୟରେ ରାଜ୍ୟରେ ବହୁ ସଫଳତା ହାସଲ କରିଥିବା ଏହି ଯୋଜନା ଓଡ଼ିଶା ଜଳ ଆୟୋଗ ‘ୱାଟକୋ’ ଦ୍ୱାରା ପରିଚାଳିତ ହେଉଛି । ତେଣୁ ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଦୀପ୍ତ ସ୍ୱାଇଁଙ୍କୁ କେନ୍ଦ୍ର ସରକାର ଗଠନ କରିଥିବା ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶାରେ କିପରି ଏହି ଯୋଜନା କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ରାଜ୍ୟର ଅଭିଜ୍ଞତା ବୁଝିବା ପାଇଁ ବିଭିନ୍ନ ରାଜ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ନିକଟରେ କର୍ଣ୍ଣାଟକର ଏକ ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରଶାସନିକ ଦଳ ଓଡ଼ିଶା ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲି ଏହି ଯୋଜନାର ରୂପରେଖ ଦେଖିଛନ୍ତି । ୨୦ ସଦସ୍ୟ ବିଶିଷ୍ଟ ଦଳରେ କର୍ଣ୍ଣାଟକ ନଗର ଉନ୍ନୟନ ବିଭାଗର ସଚିବ, ଜଳ ଯୋଗାଣ ଓ ଡ୍ରେନେଜ୍ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଏହି ଗସ୍ତରେ ଆସିଥିଲେ । ସେମାନେ ରାଜ୍ୟ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ବୈଷୟିକ, କାର୍ଯ୍ୟନିର୍ବାହୀ, କାର୍ଯ୍ୟକ୍ଷମ, ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ଦେଖିବା ସହ ଓଡ଼ିଶା ବରିଷ୍ଠ ଅଧିକାରୀଙ୍କଠାରୁ ଅଭିଜ୍ଞତା ଗ୍ରହଣ କରିଛନ୍ତି । ଏହି ଟିମ୍ ପୁରୀ ଏବଂ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରସ୍ତରରେ ସ୍ଥିତି ଦେଖିଛନ୍ତି ।