ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ; କରୋନା ଟିକାରେ ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ କେନ୍ଦ୍ର ସରକାର ବଡ଼ କଥା କହିଛନ୍ତି । କରୋନା ଟିକା ଦ୍ୱାରା ହେଉଥିବା ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଦାୟୀ ନୁହଁନ୍ତି ବୋଲି କହିଛନ୍ତି । କରୋନା ଟିକା କାରଣରୁ ହୋଇଥିବା କଥିତ ମୃତ୍ୟୁ ପାଇଁ କେନ୍ଦ୍ର ସରକାର କୌଣସି ଦାୟିତ୍ୱ ନେବାକୁ ମନା କରିଦେଇଛନ୍ତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ମୃତକ ଏବଂ ସେମାନଙ୍କ ପରିବାରବର୍ଗ ପ୍ରତି ଆମର ସହାନୁଭୂତି ରହିଛି, କିନ୍ତୁ ଟୀକାକରଣ ପରେ କୌଣସି ପ୍ରତିକୂଳ ପ୍ରଭାବ ପାଇଁ ଆମକୁ ଦାୟୀ କରାଯାଇ ପାରିବ ନାହିଁ ।

ପ୍ରକାଶଯୋଗ୍ୟ ଏହି ମାମଲା ଗତ ବର୍ଷ ଦୁଇ ଯୁବତୀଙ୍କ କଥିତ ରୂପରେ କରୋନା ଟୀକାକରଣ ପରେ ହୋଇଥିବା ମୃତ୍ୟୁ ସହ ସମ୍ବନ୍ଧିତ ଅଟେ । ଏହି ମାମଲାରେ ଯୁବତୀଙ୍କ ବାପା ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାଚିକାରେ ସୁପ୍ରିମକୋର୍ଟଙ୍କୁ କରୋନା ଟିକା ଦ୍ୱାରା ହୋଇଥିବା ଏହି ମୃତ୍ୟୁର ନିରପେକ୍ଷ ଯାଞ୍ଚ କରାଇବା ପାଇଁ ଦାବି କରାଯାଇଥିଲା । ଯାଚିକାରେ ଟୀକାକରଣ ପରେ କୌଣସି ବି ପାର୍ଶ୍ୱ ପ୍ରତିକ୍ରିୟା ହେବା ପୂର୍ବରୁ ଚିହ୍ନଟ କରି ସେଥିରୁ ରକ୍ଷା ପାଇବାର ଉପାୟ ବାହାର କରିବା ପାଇଁ ବିଶେଷଜ୍ଞଙ୍କ ବୋର୍ଡ ବନାଇବାର ଆଦେଶ ଦେବାକୁ ଦାବି କରାଯାଇଥିଲା ।

ଏହି ଯାଚିକାରେ ସୁପ୍ରମକୋର୍ଟ ନୋଟିସ ଜାରି କରି କେନ୍ଦ୍ରକୁ ଜବାବ ମାଗିଥିଲେ । ଏହା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି ଯେ, ଟିକାର ପ୍ରତିକୂଳ ପ୍ରଭାବ କାରଣରୁ ହୋଇଥିବା ମୃତ୍ୟୁ ଓ କ୍ଷତିପୂରଣ ପାଇଁ କେନ୍ଦ୍ରକୁ ଦାୟୀ କରିବା ଆଇନ ଅନୁଯାୟୀ ଉଚିତ ନୁହେଁ । କୋର୍ଟ ଉଭୟ ଯୁବତୀଙ୍କ ମୃତ୍ୟୁରେ ସମ୍ବେଦନା ଓ ସାନ୍ତ୍ୱନା ଦେଇ କହିଛନ୍ତି, କେବଳ ଗୋଟିଏ ମାମଲାରେ ଏଇଏଫଆଇ କମିଟି ଟିକାକରଣର ପାର୍ଶ୍ୱପ୍ରତିକ୍ରିୟା ଦ୍ୱାରା ମୃତ୍ୟୁ ହୋଇଥିବା ପୃଷ୍ଟି କରିଛି ।

କେନ୍ଦ୍ର ସତ୍ୟପାଠ ଆଧାରରେ ଦାଖଲ ଜବାବରେ କହିଛନ୍ତି ଯେ, ଯେଉଁ ମାମଲାରେ ଟିକା ଦ୍ୱାରା ମୃତ୍ୟୁ ହୋଇଛି, ସେହି ମାମଲାରେ ସିଭିଲ କୋର୍ଟରେ ମକଦ୍ଦମା ଦାଖଲ କରି କ୍ଷତିପୂରଣ ମଗାଯାଇ ପାରିବ । କେନ୍ଦ୍ରର ଏହି ସତ୍ୟପାଠ ପରେ କରୋନା ଟିକାକୁ ନେଇ ଲୋକଙ୍କ ମାନଙ୍କ ମନରେ ପ୍ରଶ୍ନ ଉଠିଛି । ମହାମାରୀ କରୋନା ଦାଉରୁ ରକ୍ଷା କରିବା ପାଇଁ ଲୋକମାନେ ଟିକା ନେଉଛନ୍ତି । ହେଲେ ସେହି ଟିକା ଦ୍ୱାରା ହେଉଥିବା ପାର୍ଶ ପ୍ରତିକ୍ରିୟା ପାଇଁ ସରକାର କୌଣସି ଦାୟିତ୍ୱ ନେବା ପାଇଁ ମନା କରି ଦେଇଛନ୍ତି । ଏପରି ସ୍ଥିତିରେ ଲୋକମାନେ କରୋନା ଟିକାକୁ କିଭଳି ଭରସା କରିବେ ବୋଲି କୁହାଯାଇଛି ।