କେନ୍ଦ୍ର ସରକାର ଦେବେନି ମୃତ୍ୟୁ କ୍ଷତିପୂରଣ, କୋଭିଡ ମୃତ୍ୟୁରେ ଭୁଲ ରିପୋର୍ଟ ଦେଲେ ଡାକ୍ତରଙ୍କୁ ଜେଲ

ନୂଆଦିଲ୍ଲୀ:  କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଆଉ ମିଳିବନି କ୍ଷତିପୂରଣ  । ମୃତକଙ୍କ ପରିବାରକୁ ମିଳିବନି ୪ ଲକ୍ଷ ଲେଖାଏଁ କ୍ଷତିପୂରଣ । ଏ ନେଇ ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । କୋର୍ଟରେ ସରକାର କହିଛନ୍ତି, ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି ।

ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ । କ୍ଷତିପୂରଣ ବାବଦରେ ଏହି ବିପୁଳ ଅର୍ଥ ପ୍ରଦାନ କରାଗଲେ ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଲାଗି ଖର୍ଚ୍ଚ ହ୍ରାସ ପାଇବ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ସେପଟେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ କୋଭିଡଜନିତ ମୃତ୍ୟୁ ବୋଲି ଲେଖିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

ଅବମାନନା କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ରୋଗ(ସଂଶୋଧନ) ଆଇନ ୨୦୨୦ ଲାଗୁ କରିବା ପାଇଁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଆଇନ ଅନୁସାରେ ଆକ୍ରମଣକାରୀଙ୍କୁ ୫ ବର୍ଷ ଯାଏଁ ଜେଲଦଣ୍ଡ ସହ ୨ ଲକ୍ଷ ଟଙ୍କା ଯାଏଁ ଜରିମାନାର ବ୍ୟବସ୍ଥା ରହିଛି । ଏହା ସହ ଯଦି ଆକ୍ରମଣରେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଅଧିକ ଗୁରୁତର ହୁଅନ୍ତି ତେବେ ୭ ବର୍ଷ ଯାଏଁ ଜେଲ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।

 

Leave a Reply