ଜନମତ ଆଗରେ ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର, ଜାତିଭିତ୍ତିକ ଜନଗଣନା ପାଇଁ ନେଲେ ନିଷ୍ପତ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ଜନମତ ଆଗରେ ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର । ଜାତିଭିତ୍ତିକ ଜନଗଣନା ପାଇଁ ନେଲେ ନିଷ୍ପତ୍ତି । ୨୦୧୦ରୁ ବିଜୁ ଜନତା ଦଳ ସଂସଦରୁ ବିଧାନସଭା ଯାଏଁ ଏହି ଦାବି କରି ଆସୁଥିଲା । ଗତକାଲି ଜାତ୍ତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଯେ, ପୂର୍ବରୁ ଓବିସି ଷ୍ଟାଣ୍ଡିଂ କମିଟି ଆଗରେ ଦାବି ଉପସ୍ଥାପନ କରିଥିଲା ଦଳ । କିନ୍ତୁ କେନ୍ଦ୍ରର ଏନଡିଏ ସରକାର ଏହି ଦାବିକୁ ଗ୍ରହଣ କରିନଥିଲେ । ଓଡ଼ିଶାର ମୋଟ ଜନସଂଖ୍ୟା ଭିତରୁ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ୯୪ ପ୍ରତିଶତ । ସେମାନଙ୍କ ଭିତରୁ ଏସସି ଓ ଏସଟି ହେଉଛନ୍ତି ୪୯.୯୮ ପ୍ରତିଶତ । ହେଲେ ସଂରକ୍ଷଣ ମିଳୁଛି କେବଳ ୩୮.୭୫ ପ୍ରତିଶତ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ସଂରକ୍ଷଣକୁ ୨୦ ପ୍ରତିଶତରୁ ବୃଦ୍ଧି କରି ୩୮.୭୫ ପ୍ରତିଶତ କରିଥିଲେ । ହେଲେ ବୈଷୟିକ ଶିକ୍ଷାରେ କେବଳ ସଂରକ୍ଷଣ ବ୍ୟବସ୍ଥା ମାତ୍ର ୨୦ ପ୍ରତିଶତରେ ସୀମିତ ରହିଛି । ୧୨ ପ୍ରତିଶତ ଏସଟି ଓ ୮ ପ୍ରତିଶତ ଏସସିଙ୍କ ପାଇଁ ସଂରକ୍ଷଣ ରହୁଛି । କାହିଁକି ସେମାନଙ୍କୁ ୪୯.୯୮ ପ୍ରତିଶତ ସଂରକ୍ଷଣ ନ ମିଳିବ ବୋଲି ବିଜେଡି ବାରମ୍ବାର ପ୍ରଶ୍ନ କରିଛି । ସେପଟେ ଓବିସିଙ୍କୁ ଆଦୌ ସଂରକ୍ଷଣ ମିଳୁନି । ସଂରକ୍ଷଣର ଲକ୍ଷ୍ମଣରେଖା ଥିବାରୁ ୨୭ ପ୍ରତିଶତ ନ ହେଲେ ବି ବୈଷୟିକ ଶିକ୍ଷାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦାବି ଉଠାଇ ଆସିଛି ଦଳ । ଏହାକୁ ତୁରନ୍ତ ଲାଗୁ କରିବାକୁ ବିଜେଡି ଦାବି ଦୋହରାଇଛି । ଜାତିଭିତ୍ତିକ ଜନଗଣନା ପାଇଁ ଜାତୀୟ ଦଳ ଭିତରେ ମଧ୍ୟ ଆରମ୍ଭ ହେଲାଣି ଶ୍ରେୟ ରାଜନୀତି । ଭାରତ ଯୋଡ଼ ଯାତ୍ରାରେ ତେଲେଙ୍ଗାନାରେ ରାହୁଲ ଗାନ୍ଧିଙ୍କ ପାଖରେ ଜାତିଭିତ୍ତିକ ଜନଗଣନା ପାଇଁ ଲୋକେ ଦାବି କରିଥିଲେ l କେତେ ସମୟ ସୀମା ମଧ୍ୟରେ ଜାତିଭିତ୍ତିକ ଜନ ଗଣନା କରାଯିବ, ତାହା ସ୍ଥିର କରିବାକୁ କଂଗ୍ରେସ ଦାବି କରିଛି । ସେପଟେ କେନ୍ଦ୍ର ସରକାର ଯୁକ୍ତି ବାଢିଛନ୍ତି ଯେ, କରୋନା ପାଇଁ ୨୦୨୧ରେ ଜନଗଣନା ହୋଇ ପାରିନଥିଲା । ଅନେକ ରାଜନୈତିକ ଦଳ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଥିଲେ । ସାମାଜିକ ନ୍ୟାୟ ପାଇଁ ଏହା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।