କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି: କନ୍ଦାଉଛି ପିଆଜ, ଦୀପାବଳି ସୁଦ୍ଧା ଶହେ ଛୁଇଁବ

1 min read

ଭୁବନେଶ୍ବର: କେତେବେଳେ ଚକମା ଦେଉଛି କଞ୍ଚା ପରିବା ତ କେତେବେଳେ କନ୍ଦାଇଲାଣି ପିଆଜ । ସପ୍ତାହକରେ ପିଆଜ ଦର ବଢିଲାଣି ୩ ଗୁଣ । ଗତ ସପ୍ତାହରେ ୨୦ ଟଙ୍କା ଥିବା ପିଆଜ ଦର ଏବେ ଖୁଚୁରା ବଜାରରେ ୭୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଖାଉଟିଙ୍କ ଉପରେ ପଡ଼ିଛି ଚଡକ । ଦୀପାବଳି ସୁଦ୍ଧା ଦର ୧୦୦ ଛୁଇଁବ ବୋଲି କହିଲେଣି ବ୍ୟବସାୟୀ । କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଓ ଆମଦାନୀ-ରପ୍ତାନୀ ନୀତିରେ ତ୍ରୁଟି ପାଇଁ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ପିଆଜ ମହରଗ ପାଲଟିଛି । ଚାଷୀ ଉପଯୁକ୍ତ ମୂଲ୍ୟ ପାଉ ନଥିବା ବେଳେ କର୍ପୋରେଟ ମାଲାମାଲ ହେଉଥିବା ବ୍ୟବସାୟୀ ମହାସଂଘ କହିଛି ।

କାର୍ତ୍ତିକ ମାସରେ ବି ମହରଗ ପିଆଜ । ଗତ ସପ୍ତାହରେ ୨୦ରୁ ୨୫ଟଙ୍କା ଥିବା ପିଆଜ ଦର ଆଜି ହୋଲସେଲ୍ ଦର ୫୫ରେ ପହଞ୍ଚିଛି । ଖୁଚୁରା ମାର୍କେଟରେ ୭୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ପିଆଜ ଦର ବୃଦ୍ଧିର ପ୍ରଭାବ ରୋଷେଇ ଘରେ ପଡିଛି । ଫଳରେ ଦୁଇ କେଜି ପିଆଜ ନେଉଥିବା ଗ୍ରାହକ ଏବେ କେଜିଏରେ କାମ ଚଳାଉଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ଆମଦାନୀ, ରପ୍ତାନୀ ନୀତିରେ ତ୍ରୁଟି ସହ କର୍ପୋରେଟ୍ ପ୍ରୀତି ପାଇଁ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ପିଆଜ ଦର ବୃଦ୍ଧି ହୋଇଥିବା କହିଛି ବ୍ୟବସାୟୀ ମହାସଂଘ । ଚାଷୀଠାରୁ ବଡ ବଡ କର୍ପୋରେଟ୍ କମ୍ପାନୀ କମ୍ ଦରରେ ପିଆଜ କିଣି ମହଜୁଦ୍ ରଖିବା ଯୋଗୁଁ ମାର୍କେଟରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି । ଆବଶ୍ୟକତା ଅନୁସାରେ ଯୋଗାଣ କମିବାରୁ ଦର ବଢୁଥିବା ରାଜ୍ୟ ବ୍ୟବସାୟୀ ସଂଘ କହିଛି ।

ସେପଟେ ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ନେଇ କେନ୍ଦ୍ର ଉପରକୁ ଦୋଷ ଠେଲିଛି ରାଜ୍ୟ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ବଢ଼ିଛି ପିଆଜ ଦର । ପିଆଜ ଦର ବୃଦ୍ଧି ଏବେ ଜାତୀୟ ପ୍ରସଙ୍ଗ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ପିଆଜ ଦର ଉପରେ କେନ୍ଦ୍ର ଦୃଷ୍ଟି ଦେବା ଆବଶ୍ୟକ । ଏ ଦିଗରେ କେନ୍ଦ୍ର ପଦକ୍ଷେପ ନେଲେ ହିଁ ଦର କମିବ । ନାସିକରୁ ମଧ୍ୟ ପିଆଜ ବାହାରିନଥିବା କେନ୍ଦ୍ର ସରକାର କହିଛନ୍ତି। ପିଆଜ ଦର ଉପରେ ରାଜ୍ୟ ସରକାରଙ୍କର କିଛି ଭୂମିକା ନାହିଁ। ରାଜ୍ୟ ସରକାରଙ୍କ କାମ କେବଳ କଳାବାଜାରୀ ରୋକିବା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଓଡ଼ିଶାକୁ ମହାରାଷ୍ଟ୍ରର ନାସିକ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ତାଡ଼ାପଲ୍ଲୀଗୁଡ଼ମ୍ ଓ ମଧ୍ୟପ୍ରଦେଶରୁ ପିଆଜ ଆମଦାନୀ ହୁଏ । ସେଠାରେ ଅଦିନିଆ ବର୍ଷା ବି କିଛି ଚାଷ ଉଜାଡି ଦେଇଛି । ଏଭଳି ସ୍ଥଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଛି ସ୍ଥାନରେ କମ୍ ଦରରେ ପିଆଜ ବିକ୍ରି କରୁଛନ୍ତି । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛି ବ୍ୟବସାୟୀ ସଂଘ ।