ବିଜେପି ନେତାଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ: ବିଜେପି ନେତାଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ କଡ଼ା ଆଭିମୁଖ୍ଯ ଗ୍ରହଣ କଲେ ରାଜ୍ଯ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ । ୨୪ ଘଣ୍ଟା ଭିତରେ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ । ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର,  ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ବିରୋଧରେ ଆସିଥିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଦଳୀୟ କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟ ବ୍ଯବହାର କରିବା ସହ ଏନସିସି କ୍ଯାଡେଟ୍ ଓ ଅଫିସରଙ୍କ ସହ ଆଲୋଚନା ଓ ନିର୍ବାଚନ ପ୍ରଚାର କରୁଥିବା ବିଜେଡି ଅଭିଯୋଗ କରିଥିଲା । ସପ୍ରମାଣ ଅଭିଯୋଗ ପରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଏବଂ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ରାଲି ବେଳେ ଜଣେ ନାବାଳକଙ୍କୁ ବ୍ଯବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ସଚିତ୍ର ଓ ସପ୍ରମାଣ, ତଥ୍ଯ ବିଜେଡି ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଥିଲା । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳିରେ ନିର୍ବାଚନ ରାଲି ବେଳେ ତାଙ୍କ ସହ ଭୁବନେଶ୍ବର ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ଉପସ୍ଥିତ ଥିବା ମଧ୍ଯ ଅଭିଯୋଗ ହୋଇଥିଲା ।