କରୋନା ଟିକାର ପ୍ରଭାବ, ଟିକା ପରେ କେବଳ ୦.୦୬% ଲୋକଙ୍କର ଡାକ୍ତରଖାନା ଯିବା ସମ୍ଭାବନା: ଅଧ୍ୟୟନ

1 min read

ନୂଆଦିଲ୍ଲୀ: ପ୍ରଥମ ପ୍ରବାହ ପରେ ଏବେ ଦ୍ୱିତୀୟ ପ୍ରବାହ। ଦେଶରେ ଭୟଙ୍କର କାୟା ବିସ୍ତାର କରିଛି ଅଦୃଶ୍ୟ ଭୂତାଣୁ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ମୃତ୍ୟୁ ମୁହଁକୁ ଠେଲି ହୋଇଯାଉଛନ୍ତି। ଏହି ସମୟରେ କରୋନା ଯୁଦ୍ଧରେ ଏକମାତ୍ର ଅସ୍ତ୍ର ପାଲଟିଛି ଟିକା। ନିକଟରେ କରୋନା ଟିକା ଉପରେ ହୋଇଥିବା ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛିଯେ ଟିକାକରଣ କରାଯାଇଥିବା ୯୭.୩୮ ପ୍ରତିଶତ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇଛି। ଏଥିସହ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୦.୦୬ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଟିକା ପରେ ସଂକ୍ରମିତ ଲୋକଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନର ଫଳାଫଳକୁ ଶନିବାର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ପ୍ରକାଶ କରିଛି। ଅଧ୍ୟୟନରେ କୁହାଯାଇଛି କରୋନା ନେଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ୍ ଥିଲା ଏବଂ ଟିକା ନେବା ପରେ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ଆଇସିୟୁରେ ଭର୍ତ୍ତି ହୋଇନଥିଲେ କିମ୍ବା ମୃତ୍ୟୁବରଣ କରିନଥିଲେ। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍ ସେହି ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପରେ କହିଥିଲା ଯେଉଁ ମାନେ ଟିକା ନେବା ପୂର୍ବରୁ ୧୦୦ ଦିନ ଭିତରେ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଆପୋଲୋ ହସ୍ପିଟାଲ୍ ଗ୍ରୁପ୍ ର ଗ୍ରୁପ୍ ମେଡିକାଲ୍ ଡାଇରେକ୍ଟର ଡକ୍ଟର ଅନୁପମ ସିବଲ କହିଛନ୍ତି, ‘ଭାରତରେ ଟିକାକରଣ ଅଭିଯାନ ମଧ୍ୟରେ, କୋଭିଡ୍ -19 ର ଦ୍ୱିତୀୟ ପ୍ରବାହରେ କରୋନା ମାମଲା ବହୁତ ବୃଦ୍ଧି ପାଇଛି। ଟିକାକରଣ ପରେ ମଧ୍ୟ କିଛି ଲୋକ ସଂକ୍ରମିତ ହେଉଛନ୍ତି। ଯାହାକୁ ବ୍ରେକ୍‌ଥ୍ରୁ ସଂକ୍ରମଣ କୁହାଯାଏ। ଏହି ସଂକ୍ରମଣ କେତେକ ବ୍ୟକ୍ତିଙ୍କଠାରେ ଆଂଶିକ ଏବଂ ସଂପୂର୍ଣ୍ଣ ଟିକାକରଣ ପରେ ହୋଇପାରେ।

୩୨୩୫ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ସମୟରେ ଏହା ଜଣାପଡିଥିଲା ଯେ ଏମାନଙ୍କ ମଧ୍ୟରୁ ୮୫ ଜଣ ମେଡିକାଲ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଏଥିମଧ୍ୟରୁ ୬୫ କର୍ମଚାରୀଙ୍କୁ ଉଭୟ ଡୋଜ ଟିକା ଦିଆଯାଇଥିବାବେଳେ ୨୦  କେବଳ ଗୋଟିଏ ଡୋଜ ଟିକା ପାଇଛନ୍ତି।

Leave a Reply