ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ, ଆଜି ସୁପ୍ରିମକୋର୍ଟରେ ଭିଡିଓ ଦାଖଲ

ଚଣ୍ଡିଗଡ: ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ। ଗଣତି ବେଳେ ରଦ୍ଦ ହୋଇଥିବା ୮ଟି ବାଲଟ ପେପର ଓ ଗଣତି ବେଳର ଭିଡିଓ ଆଜି ସୁପ୍ରିମକୋର୍ଟରେ ହେବ ଦାଖଲ। ଏହାକୁ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ। ମାମଲାର ଶୁଣାଣି କରି ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିବା ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରିବା ଲାଗି ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସାନି ନିର୍ବାଚନ କରିବାକୁ ଅଗ୍ରାହ୍ଯ କରିଥିଲେ କୋର୍ଟ।

ଗତ ଜାନୁଆରୀ ୩୦ ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ଜାଲିଆତି କରି ୮ଟି ଭୋଟକୁ ନାକଚ କରିଦେବା ନେଇ ଅଭିଯୋଗ କରିଥିଲା ଆପ। ଭୋଟଗଣତି ବେଳେ ବାଲଟ ପେପର ଉପରେ ଟିକ୍ ମାର୍କିଂ କରିବାବେଳେ ଅନିଲ ସିସିଟିଭି ଆଡକୁ ଚାହିଁଥିବା ଭିଡିଓ ଭାଇରାଲ ହୋଇଥିଲା।

କାହିଁକି ସିସିଟିଭି ଆଡକୁ ମୁହଁ କରିଥିଲେ ଏବଂ କାହିଁକି ବାଲଟ ପେପର ଉପରେ ମାର୍କିଂ କରିଥିଲେ ବୋଲି ଶୁଣାଣି ବେଳେ ଅନିଲଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଏଣୁ ତାଙ୍କ ବିରୋଧରେ ମାମଲା ଦାୟର ହେବା ଆବଶ୍ଯକ ବୋଲି ସୁପ୍ରିମକୋର୍ଟ କହିଥିଲେ। ନିର୍ବାଚନଭିତ୍ତିକ ଗଣତନ୍ତ୍ରରେ ଏହା ଅଗ୍ରହଣୀୟ ବୋଲି କହିଛନ୍ତି କୋର୍ଟ। ସେପଟେ ଚଣ୍ଡୀଗଡ଼ ମେୟର ପଦରୁ ବିଜେପିର ମନୋଜ ଶଙ୍କର ଇସ୍ତଫା ଦେଇଥିବାବେଳେ ଆପର ୩ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି।

ଗତ ଜାନୁଆରୀ ୩୦ରେ ହୋଇଥିବା ମେୟର ନିର୍ବାଚନରେ ଆପର କୁଲଦୀପ କୁମାରଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ବିଜେପିର ମନୋଜ ଶଙ୍କର। ମନୋଜ ୧୬ ଭୋଟ ପାଇଥିବାବେଳେ କୁଲଦୀପ ୧୨ଟି ଭୋଟ ପାଇଥିଲେ। ୮ଟି ଭୋଟ ଆପ୍ ସପକ୍ଷରେ ଯାଇଥିଲେ ବି ତାହାକୁ ରଦ୍ଦ କରିଥିଲେ ପ୍ରିଜାଇଡିଂ ଅଫିସର।