ଦିନେ ଏହି କୂଳକୁ ପିଟୁଥିଲା ସୁଉଚ୍ଚ ଲହଡ଼ି । ଆଉ ଏହି ଉତ୍ତାଳ ତରଙ୍ଗରେ ଖେଳି ମଜା ଉଠାଉଥିଲେ ପର୍ଯ୍ୟଟକ । ସମସ୍ତଙ୍କ ପ୍ରିୟ ଥିଲା ବାଲେଶ୍ବର ଚାନ୍ଦିପୁର ବେଳାଭୂମି । ହେଲେ ଏବେ ବେଳାଭୂମି ପାଲଟିଯାଇଛି ବାଲିଚର । ୫ କିଲୋମିଟର ଦୂରକୁ ଘୁଞ୍ଚି ଯାଇଛି ସମୁଦ୍ର । ନା ପର୍ଯ୍ୟଟକଙ୍କ ଭିଡ଼ ଜମୁଛି, ନା ବ୍ୟବସାୟୀଙ୍କ ବ୍ୟବସାୟ ଜମୁଛି । ଜଳ ବାୟୁର ପରିବର୍ତ୍ତନ ସହିତ ମନୁଷ୍ୟକୃତ ତ୍ରୁଟି ପାଇଁ ଚମକୁଥିବା ଚାନ୍ଦିପୁର ଆଜି ଖାଁ ଖାଁ । ୨୦୧୮ ରେ ଆସିଥିବା ୟାସ ବାତ୍ୟା ପରଠୁ ଧୀରେ ଧୀରେ ସମୁଦ୍ର କୂଳ ଛାଡ଼ି ଦୂରକୁ ଦୂରକ ଯାଉଥିବା କହିଛନ୍ତି ଲୋକେ ।
ବଙ୍ଗୋପସାଗର କୂଳରେ ୩ କିଲୋମିଟର ଲମ୍ବ ଓ ୫ କିଲୋମିଟର ଓସାରର ରହିଛି ବିସ୍ତୃତ ବେଳାଭୂମି । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ଼ ଲାଗିରହିଥିବା ବେଳେ ଚଳିତ ବର୍ଷ କିନ୍ତୁ ଖାଁ ଖାଁ । ଏତେ ପରେ ବି ନିରାଶ କରିନି ଚାନ୍ଦିପୁର । କୁଳରୁ ୫ କିଲୋମିଟର ପଛକୁ ପାଣି ଫେରିଯିବା ଫଳରେ ଦୃଶ୍ୟମାନ ହେଉଛି ପ୍ରକୃତିର ଏକ ନିଆରା ଦୃଶ୍ୟ । ଯାହା ପର୍ଯ୍ୟଟକଙ୍କ ପାଇ ଏକ ନୂଆ ଅନୁଭବ ନୂଆ ଅନୁଭୂତି ଆଣୁଛି । ବୁଢ଼ାବଳଙ୍ଗ ନଦୀର ପାଣି ସହ ମାଟି ଓ ବାଲି ଯୋଗୁଁ ମଧ୍ୟ କିଛି ସ୍ଥାନ ପୋତିହୋଇ ଘାସ ଗଛ ଉଠିବା ଆରମ୍ଭ କରିଛି । ପ୍ରକୃତିର ଏପରି ସ୍ଥିତିକୁ ନେଇ ଭୂତତ୍ତ୍ବ ବିଜ୍ଞାନୀ କାରଣ ଖୋଜୁଥିବାବେଳେ ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ ।

