ହୋଟେଲରେ ବାପ-ଝିଅ ପରିଚୟରେ ଲୁଚିଥିଲେ ଧର୍ମାନ୍ତରିକରଣ ମାଷ୍ଟରମାଇଣ୍ଡ ଛଙ୍ଗୁର ବାବା ଏବଂ ନସରିନ

ନନ୍ଦିଘୋଷ ବ୍ୟୁରୋ: ଧର୍ମାନ୍ତରିକରଣ ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଜମାଲୁଦ୍ଦିନ ଓରଫ ଛଙ୍ଗୁର ବାବା ଗିରଫ । ତାଙ୍କ ସହ ନସରିନ ମଧ୍ୟ ଗିରଫ । ତେବେ ଉଭୟଙ୍କୁ ଲକ୍ଷ୍ନୌର ଯେଉଁ ହୋଟେଲରୁ ଗିରଫ କରାଯାଇଛି, ସେଠିକାର ମ୍ୟାନେଜର ଆଶ୍ଚର୍ଯ୍ୟ କରି ଦେବା ଭଳି କିଛି କହିଛନ୍ତି । ମ୍ୟାନେଜରଙ୍କ ଅନୁସାରେ ଛଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀ ନୀତୁ ରୋହରା ଓରଫ ନସରିନ ଏକାଠି ବିକାଶ ନଗର ଅଞ୍ଚଳରେ ଥିବା ଏହି ହୋଟେଲରେ ରହିଥିଲେ । ସେମାନେ ନିଜକୁ ବାପା ଓ ଝିଅର ପରିଚୟ ଦେଇ ଏପ୍ରିଲ ୧୬ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସେଠାରେ ରହିଥିଲେ । ୫ ତାରିଖ ଦିନ ହିଁ ଉଭୟଙ୍କୁ ହୋଟେଲରୁ ଗିରଫ କରାଯାଇଥିଲା ।
ମ୍ୟାନେଜରଙ୍କ ଅନୁସାରେ, ଏପ୍ରିଲ ୧୬ ତାରିଖରେ ଛଙ୍ଗୁର ବାବା ଆସି ୧୦୨ ନମ୍ବର ରୁମ୍ ବୁକ କରିଥିଲେ । ପ୍ରଥମେ ୪ ଦିନ ପାଇଁ ଉଭୟ ରୁମ୍ ବୁକ୍ କରିଥିଲେ । ପରେ ଏକ ସପ୍ତାହ ପାଇଁ ବୁକ୍ କରିଥିଲେ । ଏହା ପରେ ୧୦/୧୦ ଦିନ କରି ବୁକିଂ ବଢ଼ାଇଥିଲେ । ଏହି ସମୟରେ ନସରିନ କେବଳ ଖାଇବାକୁ ନେବାକୁ ରୁମରୁ ବାହାରୁ ଥିଲେ । ସେମାନେ କାହାସହ ଭେଟ କରୁ ନଥିଲେ ।
ତେବେ ଜୁଲାଇ ୩ ତାରିଖରେ ସେମାନେ ୧୦୨ ନମ୍ବର ରୁମରୁ ୧୦୪ ନମ୍ବର ରୁମକୁ ସିଫ୍ଟ ହୋଇଥିଲେ । ହେଲେ ୫ ତାରିଖରେ ୟୁପି ଏଟିଏସ ଉଭୟଙ୍କୁ ଗିରଫ କରିଥିଲା । ଗିରଫ ପରେ ଉଭୟଙ୍କ ବିଷୟରେ ଆମେ ଜାଣିବାକୁ ପାଇଥିଲୁ ।
ଏବେ ଆସନ୍ତୁ ଜାଣିବା ଛିଙ୍ଗୁର ବାବା ଏବଂ ନସରିନ କିଏ ?
ତାମିଲନାଡୁ ବାସିନ୍ଦା ନିତୁ ବୋହରା ବିବାହ ପରେ ମୁମ୍ବାଇ ଚାଲି ଯାଇଥିଲେ । ସେଠାରେ ସେ ସ୍ବାମୀ ନବୀନ ବୋହରାଙ୍କ ସହ ରହୁଥିଲେ । ଦୀର୍ଘ ବର୍ଷ ଧରି ଉଭୟଙ୍କ କୌଣସି ପିଲା ହୋଇ ନଥିଲା । ଏହି ସମୟରେ କେହି ଜଣେ ପୀର ବାବା କହି ସେମାନଙ୍କ ଭେଟ ଛଙ୍ଗୁର ବାବାଙ୍କ ସହ କରାଇ ଥିଲେ । ପରେ ନୀତୁ ବାବାଙ୍କ ଜାଲରେ ଫସି ଯାଇଥିଲେ । ଏହାପାରେ ଛଙ୍ଗୁର ବାବା ନୀତୁଙ୍କ ଧର୍ମ ପରିବର୍ତ୍ତନ କରାଇ ନସରିନ କରି ଦେଇଥିଲେ । ଏହାପରେ ତାଙ୍କ ସ୍ବାମୀଙ୍କର ବି ଧର୍ମ ପରିବର୍ତ୍ତନ କରି ଜମାଲୁଦ୍ଦିନ କରି ଦେଇଥିଲେ । ଏହାପରେ ଉଭୟ ସ୍ବାମୀ, ସ୍ତ୍ରୀ ଛଙ୍ଗୁର ବାବାଙ୍କ ସହ ମିଶି ଧର୍ମ ପରିବର୍ତ୍ତନ ରାକେଟ ଚଲାଇ ଥିଲେ ।
ସୂଚନାଯୋଗ୍ୟ, ପୋଲିସ ଛଙ୍ଗୁର ବାବାଙ୍କ ପୁଅକୁ ବି ଗିରଫ କରିଛି । ଏବେ ତାଙ୍କ ବାକି ପରିବାରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଚାଲିଛି । ଗତ କିଛିଦିନ ପୂର୍ବରୁ ବଳରାମପୁର ସ୍ଥିତ ତାଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା । ଏହା ନସରିନ ନାଁରେ ଥିଲା ।
ତଦନ୍ତରୁ ଜଣାପଡିଛି, ଏମାନେ ଗରିବ ଓ ଶ୍ରମିକ ଶ୍ରେଣୀର ଯୁବତୀଙ୍କୁ ନିଜ ଜାଲରେ ଫସାଇ ପୂରା ପରିବାରକୁ ଇସଲାମ ଧର୍ମରେ ପରିବର୍ତ୍ତନ କରୁଥିଲେ । ଜାତି ହିସାବରେ ଧର୍ମାନ୍ତରିକରଣ କରୁଥିବା ଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ଦିଆଯାଉଥିଲା । ଏପରିକି ଜାତିକୁ ନେଇ କେତେ ଟଙ୍କା ଦିଆଯିବ ତାହା ପୂର୍ବରୁ ସ୍ଥିର ହୋଇ ରହିଥିଲା ।