ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଉତ୍ତରପୂର୍ବ ଦିଲ୍ଲୀର ଓ୍ବେଲକମ ଏରିଆରେ ଘଟିଥିବା ଏହି ଘଟଣାରେ ଜଣେ ୧୮ ବର୍ଷ ଯୁବକଙ୍କୁ ୬୦ ଥର ଛୁରୀ ଭୁସିଥିଲା ଜଣେ ୧୬ ବର୍ଷ ବୟସ୍କ ଯୁବକ । ମୃତ ଯୁବକଙ୍କଠାରୁ ୩୫୦ ଟଙ୍କା ଛଡାଇ ନେବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟା ପରେ ଶବକୁ ବି ଏକ ଗଳିକୁ ଅଭିଯୁକ୍ତ ଟାଣି ନେବାର ଭିଜୁଆଲ ହୋଇଛି କଏଦ । କେବଳ ଟଙ୍କା ଲୁଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଟଙ୍କା ଛଡାଇବା ପରେ ପ୍ରଥମେ ଅଭିଯୁକ୍ତଜଣକ ମୃତକଙ୍କ ତଣ୍ଟି ଚିପିବା ପରେ ୬୦ ଥର ଛୁରୀ ଭୁସିଥିଲା । ସେଥିରୁ ଅଧିକାଂଶ ଥର ସେ ମୃତକଙ୍କ ବେକରେ ଛୁରୀ ଭୁସିଥିଲା । ହତ୍ୟା ପରେ ଅଭିଯୁକ୍ତଜଣକ ଶବକୁ ଗୋଇଠା ବି ମାରିଥିଲା ।

ପୋଲିସର କହିବା ଅନୁସାରେ ଏହି ଦୁଇ ଜଣ ଯୁବକ ପରସ୍ପରକୁ ଜାଣି ନଥିଲେ । କେବଳ ଟଙ୍କା ଛଡାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । ପରେ ଅଭିଯୁକ୍ତଜଣକ ଏହି ନାରକୀୟ କାଣ୍ଡ ଘଟାଇଥିଲା । ଘଟଣା ଘଟିଛି ଗତ ମଙ୍ଗଳବାର ରାତି ୧୧ଟାରେ । ରାତି ୧୧ଟା ୧୫ରେ ପିସିଆର ନିକଟରେ ଏହି ହତ୍ୟାକାଣ୍ଡ ନେଇ ଖବର ପହଞ୍ଚିଥିଲା । ପୋଲିସ ଓ୍ବେଲକମ ଏରିଆର ଜନତା ମଜଦୂର କଲୋନିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବୋଲି କହିଛନ୍ତି ଡେପୁଟି ପୋଲିସ କମିଶନର ଜୟ ତିର୍କୀ । ଛୁରୀମାଡର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ଘଟଣାର ସିସିଟିଭି ଯାଞ୍ଚ ଚାଲିଛି ।