ୟୁକେରେ ଛେଣ୍ଡିପଦା ଲେମ୍ବୁର ଡିମାଣ୍ଡ, ଆରମ୍ଭ ହେଲା ରପ୍ତାନୀ

1 min read

ନନ୍ଦିଘୋଷ ବ୍ୟୁରୋ: ବିଦେଶ ଗଲା ଓଡ଼ିଶା ଲେମ୍ବୁ ।  ଦିନେ ପଚି ସଢ଼ି ନଷ୍ଟ ହେଉଥିଲା, କେହି ଦେଖୁ ନଥିଲେ କି ପଚାରୁ ନଥିଲେ । କିନ୍ତୁ ଏବେ ଯୁକ୍ତରାଜ୍ୟରେ ଏହି ଲେମ୍ବୁର ଡିମାଣ୍ଡ ବହୁତ । ପ୍ରଥମ ଥର ପାଇଁ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର କିଛି ଚାଷୀଙ୍କ ଲେମ୍ବୁକୁ ବିଦେଶ ପଠାଯାଇଛି । ଅନୁଗୁଳ ଜିଲ୍ଲା ପ୍ରଶାସନ ଓରମାସ ସହଯୋଗରେ ଚାଷୀଙ୍କଠାରୁ ଲେମ୍ବୁ ସଂଗ୍ରହ କରି ବିଦେଶକୁ ପଠାଯାଇଛି । ନିଜ ଅମଳ ଲେମ୍ବୁ ବିଦେଶ ରପ୍ତାନୀ ହେବାକୁ ନେଇ ଚାଷୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ବିଳିଛି ।

ବଦଳିଲା ଛେଣ୍ଡିପଦା ବ୍ଳକ ଉଗୀ ଗାଁର ଲେମ୍ବୁଚାଷୀଙ୍କ ଭାଗ୍ୟ । ଗାଁରେ ପ୍ରାୟ ୬୦୦ ପରିବାର ବସବାସ କରୁଥିବା ବେଳେ ୪୦୦ରୁ ଅଧିକ ପରିବାର ଲେମ୍ବୁ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି l କିଛିବର୍ଷ ହେବ ଲେମ୍ବୁର ଅଭାବୀ ବିକ୍ରି ଦେଖିବାକୁ ମିଳିଥିଲା l ବଜାର ସୁବିଧା ନଥିବାରୁ ଚାଷୀମାନେ ଏ ହାଟ ସେ ହାଟକୁ ଯାଇ କମ ମୂଲ୍ୟରେ ଲେମ୍ବୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଥିଲେ l ଛେଣ୍ଡିପଦାରେ କାମ କରୁଥିବା କ୍ରପିଫାଏ ଫାର୍ମ ପ୍ରଡୁସର କମ୍ପାନୀ ଲିମିଟେଡ ସହାୟତାରେ ଓଗୀ ଗାଁର ପ୍ରାୟ ୪୦ରୁ ଅଧିକ ଚାଷୀଙ୍କଠାରୁ ୬୪ ହଜାର ଲେମ୍ବୁ କିଣାଯାଇ ଜଗନ୍ନାଥ ଗ୍ରୀନ ଆଗ୍ରୋ ସହାୟତାରେ ଯୁକ୍ତରାଜ୍ୟକୁ ପଠାଯାଉଛି l

ପ୍ରଥମ ପର୍ଯ୍ୟାୟରେ ୨୬ ହଜାର ଲେମ୍ବୁ ପଠାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୩୪ ହଜାର ଲେମ୍ବୁ ବିଦେଶ ପଠାଯାଇଛି । ତେବେ ଓଗୀ ଅଞ୍ଚଳର ଲେମ୍ବୁ ବିଦେଶକୁ ରପ୍ତାନୀ ହେଉଥିବାରୁ ଚାଷୀ ବେଶ୍ ଖୁସି ଅଛନ୍ତି । ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି । ପ୍ରତ୍ୟେକ ସପ୍ତାହରେ ଏହିପରି ଭାବରେ ଦୁଇଥର ଲେମ୍ବୁ ରପ୍ତାନୀ କରାଗଲେ ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି l ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଅନ୍ୟ ସମସ୍ତ ପନିପରିବା ଚାଷକୁ ବିଦେଶକୁ ରପ୍ତାନୀ କରାଯିବ । ଚାଷୀଙ୍କୁ ଆହୁରି ରୋଜଗାରକ୍ଷମ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।