ନନ୍ଦିଘୋଷ ବ୍ୟୁରୋ : ଛଟ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥିଲେ ବ୍ରତଧାରୀ । ଭୁବନେଶ୍ୱରରେ ହିନ୍ଦୀ ବିକାଶ ମଞ୍ଚ ପକ୍ଷରୁ କୁଆଖାଇ ନଦୀ ପଠାରେ ଛଟ ପୂଜା ଧୂମଧାମରେ ପାଳିତ ହେଉଛି। ହଜାର ହଜାର ବ୍ରତଧାରୀ ଉପବାସ ରହି ସୂର୍ଯ୍ୟଙ୍କୁ ପୂଜାର୍ଚନା କରିବା ସହ ପରିବାର ଓ ଭାଇଙ୍କ ଶୁଭ ମନାସୀ ଥିଲେ। ସୂର୍ଯ୍ୟଙ୍କୁ ପୂଜା କଲେ ବହୁ ଦୁରାରୋଗ ଓ ଚର୍ମ ରୋଗ ଭଲ ହେବା ସହ ଶରୀର ସୁସ୍ଥ ରହିବାର ବିଶ୍ୱାସ ରହିଛି।କଟକରେ ବସବାସ କରୁଥିବା ହିନ୍ଦୀ ଭାଷାଭାଷୀ ଶ୍ରଦ୍ଧାଳୁମାନେ ବି ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳୁଛନ୍ତି।
କଟକ ମହାନଗର ଛଟ ପୂଜା କମିଟି ପକ୍ଷରୁ କାଠଯୋଡି ନଦୀପଠାରେ ଆୟୋଜିତ ପୂଜାରେ ଶହ ଶହ ସଂଖ୍ୟାରେ ଭକ୍ତ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଭୋଗ ତଥା ଅର୍ଘ୍ୟ ପ୍ରଦାନ କରିଛନ୍ତି। କାଠଯୋଡ଼ି ଓ ମହାନଦୀ କୂଳରେ ଏକାଠି ହୋଇ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ରାଉରକେଲା ସହରରେ ମଧ୍ୟ ବିଭିନ୍ନ ନଦୀ କୂଳ ଓ ପୋଖରୀ କୂଳରେ ଭକ୍ତମାନେ ଶ୍ରଦ୍ଧା ଓ ନିଷ୍ଠାର ସହ ଛଟପୂଜା ପାଳନ କରିଛନ୍ତି। ଭକ୍ତମାନେ ବିଭିନ୍ନ ଫଳମୂଳ ଆଣି ସୁର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଛଟପୂଜା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ବିହାର ସମ୍ପ୍ରଦାୟ ଲୋକେ ଏହି ପୂଜା କରିଥାନ୍ତି।

