ନଭେମ୍ବରରେ ଇଂଲଣ୍ଡରୁ ଭାରତ ଫେରିବ ଶିବାଜୀଙ୍କ ବାଘନଖ

ନୂଆଦିଲ୍ଲୀ: ନଭେମ୍ବରରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ପ୍ରସିଦ୍ଧ ବାଘନଖ । ବିଜାପୁର ସୁଲତାନ ଆଫଜଲ ଖାଁଙ୍କୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିବା ଏହି ବାଘ ନଖକୁ ଆସନ୍ତା ନଭେମ୍ବରରେ ଲଣ୍ଡନରୁ ଭାରତ ଅଣାଯିବ ।

୧୬୫୯ ମସିହାରେ ଆଫଜଲଙ୍କୁ ଏହି ବାଘନଖ ଜରିଆରେ ହତ୍ୟା କରିଥିଲେ ଶିବାଜୀ । ଛତ୍ରପତି ଶିବାଜୀଙ୍କ ସିଂହାସନ ଆରୋହଣର ୩୫୦ତମ ବାର୍ଷିକୀ ଅବସରରେ ବାଘନଖକୁ ଅଣାଯିବ । ବର୍ତ୍ତମାନ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମ୍ୟୁଜିୟମରେ ଏହି ଅସ୍ତ୍ର ରହିଛି । ଏହି ଅସ୍ତ୍ର ଆଣିବା ସମ୍ପର୍କରେ ଚୂଡାନ୍ତ ଆଲୋଚନା ଲାଗି ମଙ୍ଗଳବାର ଲଣ୍ଡନ ଯିବେ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିଓ୍ବାର । ଏନେଇ ସେ ଏକ ଚୁକ୍ତି ସ୍ବାକ୍ଷର କରିବେ । ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ଛତ୍ରପତି ଶିବାଜୀ ମହାରାଜ ମ୍ୟୁଜିୟମରେ ଏହାକୁ ରଖାଯିବ ବୋଲି ସୂଚନା ମିଳିଛି । ସତାରା ଜିଲ୍ଲା ଅନ୍ତର୍ଗତ ପ୍ରତାପଗଡ ଦୁର୍ଗରେ ଆଫଜଲ ଖାଁଙ୍କୁ ହତ୍ୟା କରିଥିଲେ ଶିବାଜୀ । ଏହାକୁ ଶିବାଜୀଙ୍କ ବୀରତ୍ବର ଏକ ଅଧ୍ୟାୟ ବୋଲି କୁହାଯାଏ ।